ଉତ୍ତରାଖଣ୍ଡର ହିମାଳୟ କୋଳରେ ଅବସ୍ଥିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ପବିତ୍ର କେଦାରନାଥ ଧାମରେ ଚଳିତ ବର୍ଷ ଦେଖିବାକୁ ମିଳିଛି ଅପାର ଭକ୍ତ ସମାଗମ। ବାବା କେଦାରଙ୍କ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ବେଳେ ୨୦୨୬ ମସିହାର କେଦାରନାଥ ଯାତ୍ରା ଏକ ନୂଆ ଇତିହାସ ରଚିଛି। ମନ୍ଦିରର ଦ୍ୱାର ଖୋଲିବାର ମାତ୍ର ୩୫ ଦିନ ମଧ୍ୟରେ ୯ ଲକ୍ଷରୁ ଅଧିକ ଭକ୍ତ ବାବାଙ୍କ ଦର୍ଶନ କରିଥିବା ସୂଚନା ମିଳିଛି।
ପ୍ରତିଦିନ ପ୍ରାୟ ୩୦ ହଜାର ଶ୍ରଦ୍ଧାଳୁ କେଦାରନାଥରେ ପହଞ୍ଚୁଛନ୍ତି। ସକାଳୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ବାବାଙ୍କ ଏକ ଝଲକ ଦର୍ଶନ ପାଇଁ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଏହି ଅପାର ଜନସମାଗମ ଆସ୍ଥା ଓ ଭକ୍ତିର ଅଦ୍ଭୁତ ଚିତ୍ର ସୃଷ୍ଟି କରିଛି।
ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା କରାଯାଇଛି। ରୁଦ୍ରପ୍ରୟାଗ ଜିଲ୍ଲାପାଳ ବିଶାଳ ମିଶ୍ରଙ୍କ ସୂଚନା ଅନୁଯାୟୀ, ସିସିଟିଭି କ୍ୟାମେରା ମାଧ୍ୟମରେ ୨୪ ଘଣ୍ଟା ନଜରଦାରୀ କରାଯାଉଛି। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷିତ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ଲାଗୁ କରାଯାଇଛି, ଯାହା ଫଳରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରୁଛନ୍ତି।
ଏହାସହ ଯାତ୍ରା ପଥରେ ଅସୁସ୍ଥ କିମ୍ବା ଅସୁବିଧାରେ ପଡ଼ୁଥିବା ଭକ୍ତଙ୍କ ସହାୟତା ପାଇଁ ପ୍ରଶାସନ ସଦା ସତର୍କ ରହିଛି। ଏପର୍ଯ୍ୟନ୍ତ ହେଲିକପ୍ଟର ମାଧ୍ୟମରେ ୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦଣ୍ଡି-କାଣ୍ଡି ସହାୟତାରେ ପ୍ରାୟ ୧୫୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଯାଇଛି। ଆସ୍ଥା, ଭକ୍ତି ଓ ବିଶ୍ୱାସର ଏହି ଅଦ୍ୱିତୀୟ ମିଳନ ଚଳିତ ବର୍ଷର କେଦାରନାଥ ଯାତ୍ରାକୁ ଏକ ଐତିହାସିକ ମାଇଲଖୁଣ୍ଟରେ ପରିଣତ କରିଛି।