ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭୋପାଳର ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ବଡ଼ ସୂଚନା ସାମ୍ନାକୁ ଆସିଛି । ତ୍ୱିଷାଙ୍କ ଶାଶୁ ପୂର୍ବତନ ବିଚାରପତି ଗିରିବାଳା ସିଂ ଗିରଫ ହୋଇଛନ୍ତି । ଦୀର୍ଘ ୩ ଘଣ୍ଟାରେ ଜେରା ପରେ ଗିରିବାଳାଙ୍କୁ ଗିରଫ କରିଛି ସିବିଆଇ ।
ଆଜି ସକାଳ 10ଟାରୁ ସିବିଆଇର ତିନି ଜଣିଆ ଟିମ୍ ତ୍ୱିଷାଙ୍କ ଭୋପାଳସ୍ଥିତ କଟାରା ହିଲ୍ସରେ ଥିବା ଶ୍ୱଶୁର ଘରେ ପହଁଚିଥିଲା । ଏହି ସମୟରେ ଗିରିବାଳା ସିଂଙ୍କ ଓକିଲ ମଧ୍ୟ ଉପସ୍ଥିତ ଥିଲେ । ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହା ପରେ ପ୍ରାୟ ୩ ଘଣ୍ଟା ଧରି ସିବିଆଇ ଟିମ୍ ଗିରିବାଳାଙ୍କୁ ପ୍ରଶ୍ନ କରିଥିଲା । ଘନ ଘନ ଜେରା ପରେ ଶେଷରେ ଗିରିବାଳାଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି ।
ମେ ୧୨ ରେ ତ୍ୱିଷା ଶର୍ମାଙ୍କ ମୃତ୍ୟୁ ପରେ ଶାଶୁ ଗିରିବାଳା ତୁରନ୍ତ ନିମ୍ନ ଅଦାଲତରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ । ଆଉ କୋର୍ଟ ତାଙ୍କ ଆବେଦନକୁ ମଞ୍ଜୁର କରି ଅନ୍ତରୀଣ ସୁରକ୍ଷା ଦେଇଥିଲେ । କିନ୍ତୁ ସିବିଆଇ ତଦନ୍ତଭାର ନେବା ପରେ ଗତକାଲି ଗିରିବାଳାଙ୍କ ଅନ୍ତରୀଣ ଜାମିନ ଖାରଜ ଏବଂ ତାଙ୍କୁ ନିଜ ହେପାଜତକୁ ନେବାକୁ ମଧ୍ୟ ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା । ସିଲିସିଟର୍ ଜେନେରାଲ୍ ମଧ୍ୟ ଗିରିବାଳା ତଦନ୍ତରେ ସହଯୋଗ କରୁନଥିବା ଯୁକ୍ତି ବାଢ଼ିଥିଲେ । ଶେଷର ଗତକାଲି ମଧ୍ୟ ରାତ୍ର ପର୍ଯ୍ୟନ୍ତ ହାଇକୋର୍ଟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ତମାମ ଯୁକ୍ତି ଉପସ୍ଥାପନ ପରେ ହାଇକୋର୍ଟ ସିବିଆଇର ଆବେଦନକୁ ମଞ୍ଜୁର କରିବା ସହିତ ଗିରିବାଳାଙ୍କୁ ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଥିଲେ ।
ଖାଲି ସେତିକି ନୁହେଁ ସିବିଆଇ ଆଜି ସ୍ୱାମୀ ସମର୍ଥ ସିଂହଙ୍କୁ ନିଜ ହେପାଜତକୁ ନେଇଛି । ଔପଚାରିକ ଭାବେ ସିବିଆଇ ସମର୍ଥକଙ୍କୁ ଜେରା କରିବ । ତ୍ୱିଷାଙ୍କ ମୃତ୍ୟୁ ୧୦ ଦିନ ପରେ ସମର୍ଥ ସିଂହ ଜବଲପୁର କୋର୍ଟରେ ଆତ୍ମସମର୍ପଣ କରିଥିବାବେଳେ ଭୋପାଳ ପୋଲିସ ଗିରଫ କରିଥିଲା ।
ମେ ୧୨ ରେ ଭୋପାଲର କଟାରା ହିଲ୍ସରେ ଥିବା ବାସଭବନରୁ ତ୍ୱିଷାଙ୍କ ମୃତ ଦେହ ମିଳିଥିଲା । ଗତ ଡିସେମ୍ବର ମାସରେ ତ୍ୱିଷାଙ୍କ ସମର୍ଥଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଥିଲା । ତ୍ୱିଷାଙ୍କୁ ହତ୍ୟା କରିବା ନେଇ ପରିବାର ଲୋକେ ଅଭିଯୋଗ କରି ଗିରିବାଳା ଏବଂ ସମର୍ଥଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ।