ନୂଆଦିଲ୍ଲୀ: ଲେବାନନ୍-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଇସ୍ରାଏଲ ଏବଂ ଲେବାନନ୍ ୧୦ ଦିନିଆ ଅସ୍ତ୍ରବିରତି ପାଇଁ ସହମତ ହୋଇଥିବା କହିଛନ୍ତି ଟ୍ରମ୍ପ। ଫଳରେ ଏହି ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇବା ନେଇ ଆଶା ଜାଗି ଉଠିଛି।
ସୋସିଆଲ ମିଡିଆରେ ଅସ୍ତ୍ରବିରତି ଘୋଷଣା କରି ରାଷ୍ଟ୍ରପତି କହିଛନ୍ତି, ଲେବାନନ୍ ରାଷ୍ଟ୍ରପତି ଜୋସେଫ୍ ଆଉନ୍ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା ପରେ ଅସ୍ତ୍ରବିରତି ହୋଇଛି। ଏହି ଅସ୍ତ୍ରବିରତି ଆମେରିକା ସମୟ ସନ୍ଧ୍ୟା ୫ଟାରେ କାର୍ଯ୍ୟକାରୀ ହେବ। ଇସ୍ରାଏଲର ଆକ୍ରମଣରେ ଲେବାନନରେ ମୃତକ ସଂଖ୍ୟା ୨,୧୯୬ ରେ ପହଞ୍ଚିବା ପରେ ଏହି ଅସ୍ତ୍ରବିରତି ଘୋଷଣା କରାଯାଇଛି।
ଇସ୍ରାଏଲ ଏବଂ ଇରାନ ସମର୍ଥିତ ହିଜବୋଲା ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଥିଲା। ଏହା ପରେ ଲେବାନନ ଏବଂ ଇସ୍ରାଏଲ ମଙ୍ଗଳବାର ଦିନ ୱାଶିଂଟନରେ ଦଶନ୍ଧି ପରେ ପ୍ରଥମ ଥର ପାଇଁ ସିଧାସଳଖ କୂଟନୈତିକ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ସ୍ଥାୟୀ ଶାନ୍ତି ହାସଲ କରିବା ପାଇଁ ଇସ୍ରାଏଲ ଏବଂ ଲେବାନନ ସହିତ କାମ କରିବାକୁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି ଯେ ୩୪ ବର୍ଷ ପରେ ପ୍ରଥମ ଥର ପାଇଁ ୱାଶିଂଟନରେ ଦୁଇ ଦେଶ ସାକ୍ଷାତ କରିଛନ୍ତି। ଏଥିରେ ବୈଦେଶିକ ସଚିବ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ମୁଁ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ବୈଦେଶିକ ସଚିବ ରୁବିଓଙ୍କ ସହିତ ମିଳିତ ଚିଫ୍ସ ଅଫ୍ ଷ୍ଟାଫ୍ସ ଡାନ୍ ରେଙ୍କେଙ୍କୁ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଇସ୍ରାଏଲ ଏବଂ ଲେବାନନ ସହିତ କାମ କରିବାକୁ ନିର୍ଦ୍ଦେଶ ଦେଇଛି। ବିଶ୍ଵରେ ନଅଟି ଯୁଦ୍ଧ ଶେଷ କରିବା ମୋର ସମ୍ମାନର ବିଷୟ ଏବଂ ଏହା ମୋର ଦଶମ ହେବ ବୋଲି ସେ କହିଛନ୍ତି।
ଟ୍ରମ୍ପ କହିଛନ୍ତି ଯେ ସେ ଇସ୍ରାଏଲ ଏବଂ ଲେବାନନର ନେତାମାନଙ୍କୁ ହ୍ୱାଇଟ୍ ହାଉସରେ ଆତିଥ୍ୟ ଦେବାକୁ ଯୋଜନା କରୁଛନ୍ତି। ତେଣୁ ମୁଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ଲେବାନନର ରାଷ୍ଟ୍ରପତି ଜୋସେଫ ଆଉନଙ୍କୁ ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କରୁଛି। ସେ ଏହା ମଧ୍ୟ କହିଛନ୍ତି, ଉଭୟ ପକ୍ଷ ଶାନ୍ତି ଚାହାଁନ୍ତି, ଏବଂ ମୁଁ ବିଶ୍ୱାସ କରୁଛି ଯେ ଏହା ଖୁବ୍ ଶୀଘ୍ର ଘଟିବ।