ବଲାଙ୍ଗୀର: ରାଜ୍ୟରେ ଗ୍ରୀଷ୍ମ ତାପ ଏବେ ଭୟଙ୍କର ରୂପ ନେଇଛି। ମୁଣ୍ଡ ଫଟା ଖରା ସହ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ପ୍ରାୟ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର ଆସିଛି। ପ୍ରବଳ ଖରାକୁ ଦେଖି ବଲାଙ୍ଗୀର ଜିଲ୍ଲାପାଳ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ୍ ୧୮ରୁ ୨୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଛୁଟି ଘୋଷଣା କରାଯାଇଛି।
ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ପରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ। ତେବେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ଖରା ଛୁଟି ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବର୍ତ୍ତମାନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିକୁ ନଜରରେ ରଖି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।
ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ। ୨୪ ଘଣ୍ଟା ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ ତାତି ସ୍ଥିର ରହିବ। ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ପୁରୀରେ ତାପମାତ୍ରା ୩୬ ରୁ ୪୦ ଡିଗ୍ରୀ ସେଲସିୟସ ରହିବ। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳରେ ୪୦ ରୁ ୪୪ ଡିଗ୍ରୀ ସେଲସିୟସ ରହିପାରେ। କିଛି ସ୍ଥାନରେ ଏହା ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ।