ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟବ୍ୟାପୀ ବ୍ୟାପକ ଆୟୋଜନ ଚାଲିଛି। ଏହି ଅବସରରେ ବିଜୁ ଅନୁଗତ ତଥା ବିଜୁ ପ୍ରେମୀ “ଓଡିଶା ନାଗରିକ ମଞ୍ଚ” ନାମରେ ଏକ ନୂତନ ମଞ୍ଚ ଗଢ଼ିଛନ୍ତି। ଭୁବନେଶ୍ୱରର ଓୟୁଏଟି (OUAT) ଅଡିଟୋରିୟମରେ ଆୟୋଜିତ ବିଶାଳ ସମାବେଶରେ ବିଜୁ ଲିଗାସି ସହ ଜଡିତ ଅନେକ ପ୍ରଭାବଶାଳୀ ନେତା ଏହି ମଞ୍ଚରେ ଏକାଠି ନଜର ଆସିଛନ୍ତି।
ରାଜ୍ୟସଭା ସାଂସଦ ଦିଲୀପ ରାୟ, ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ ପ୍ରମୁଖ ଏକ ମଞ୍ଚରେ ଏକତ୍ରିତ ହୋଇଛନ୍ତି। ଏହି ସଭାରେ କେବଳ ରାଜନେତା ନୁହେଁ, ବୁଦ୍ଧିଜୀବୀ, ଆଇନଜୀବୀ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଜୁ ପ୍ରେମୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।
ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଏହି ମଞ୍ଚକୁ ସର୍ବଥା ରାଜନୈତିକ ଭାବେ ପ୍ରସ୍ତୁତ କରାଯାଇନାହିଁ। ମଞ୍ଚର କର୍ମକର୍ତ୍ତାମାନେ ସ୍ପଷ୍ଟ କରିଛନ୍ତି ଯେ, ଏହା ଏକ “ନାଗରିକ ମଞ୍ଚ” ଭାବେ କାମ କରିବ ଓ ସାମାଜିକ ପ୍ରସଙ୍ଗରେ ଆନ୍ଦୋଳନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ତଥାପି, ଏହାର ଗଠନ ପଛରେ ରାଜନୈତିକ ସଙ୍କେତ ଲୁଚିଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ବିଶେଷକରି ବିଜୁ ଜନତା ଦଳ ଭିତରେ ବିଜୁ ଲିଗାସି ରହିନଥିବା ଅଭିଯୋଗକୁ ଆଗରେ ରଖି, ଏହି ମଞ୍ଚ ଗଢ଼ାଯାଇଥିବା କୁହାଯାଉଛି। ଯେମାନେ ବିଜେଡିରୁ ଦୂର ହୋଇଛନ୍ତି କିମ୍ବା ଅସନ୍ତୁଷ୍ଟ, ସେମାନଙ୍କର ଏକତ୍ରୀକରଣ ଏହି ମଞ୍ଚ ମାଧ୍ୟମରେ ହେଉଛି।
ଏହା କେବଳ ଏକ ମଞ୍ଚ ନୁହେଁ, ଆଗାମୀ ଦିନରେ ଓଡିଶା ରାଜନୀତିରେ ଏକ ନୂତନ ପରିବର୍ତ୍ତନର ଆରମ୍ଭ ହେବ କି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ତେବେ ବିଜୁ ତିରୋଧାନ ଦିବସରେ ଏହି ପଦକ୍ଷେପ ଭବିଷ୍ୟତରେ ବଡ଼ ରାଜନୈତିକ ହଲଚଲର ଆଗମନ ସଙ୍କେତ ଦେଉଛି।
ଅଧିକ ପଢନ୍ତୁ: ଆଜି ହେଉଛି ମହାନ ଜନନାୟକ ବିଜୁ ବାବୁଙ୍କ ପୂଣ୍ୟତିଥି