ଭୁବନେଶ୍ୱର: ଆଜି ହେଉଛି ପ୍ରବାଦ ପୁରୁଷ, ଝଡ଼ର ଇଗଲ୍ ଏବଂ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ସ୍ୱର୍ଗୀୟ ପିତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି ।
ନବୀନ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ଗୌରବ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଦେଶର ସ୍ୱାଧୀନତା ସଂଗ୍ରାମରେ ସେ ଗ୍ରହଣ କରିଥିଲେ ବଳିଷ୍ଠ ଭୂମିକା। ଲୋକଙ୍କ ହାତରେ କ୍ଷମତା ପ୍ରଦାନ କରି ସେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ। ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ, ଶିଳ୍ପଠୁ ଆରମ୍ଭ କରି ଓଡ଼ିଆ ସ୍ୱାଭିମାନ ରକ୍ଷାରେ ତାଙ୍କର ଅବଦାନ ଅତୁଳନୀୟ। ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ବିଜୁ ଜନତା ଦଳ ଓଡ଼ିଶା ମାଟିର ସେବାରେ ସଦା ସମର୍ପିତ।
ସେହିପରି ବିଜୁ ବାବୁଙ୍କ ପୂଣ୍ୟତିଥି ଅବସରରେ ବିଜେଡ଼ି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି ।
ବହୁ ପ୍ରତିଭାର ଅଧିକାରୀ ବିଜୁ ବାବୁ
୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁରଠାରେ ବିଜୁ ବାବୁ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରାରେ ଜଣେ ଦକ୍ଷ ରାଜନୀତିଜ୍ଞ, ବିମାନ ଚାଳକ ଏବଂ ଫୁଟବଲ୍ ଖେଳାଳୀ ଥିଲେ । କଟକର ରେଭେନ୍ସା କଲେଜିଏଟ ସ୍କୁଲରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ପାଠପଢ଼ା ସହିତ ଖେଳ ପ୍ରତି ତାଙ୍କର ବେଶ୍ ରୁଚି ରହିଥିଲା । ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ ।
ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ଭୂମିପୁତ୍ର" ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଡାକୋଟା ବିମାନ ଚଳାଉଥିଲେ ।
ବିଜୁ ବାବୁ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ । ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୪୬ରେ ପ୍ରଥମ ଥର ପାଇଁ ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ଏକାଧିକ ବାର ନିର୍ବାଚନ ଜିତିଛନ୍ତି ।
ସେ କଳିଙ୍ଗ ଟାଇଲ୍ସ୍, କଳିଙ୍ଗ ଟ୍ୟୁବ୍ସ୍, କଳିଙ୍ଗ ଆଇରନ ୱାର୍କ୍ସ୍, କଳିଙ୍ଗ ଏୟାରଲାଇନ୍ସ୍ ଓ କଳିଙ୍ଗ ରିଫ୍ରାକଟୋରିଜ୍ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟି, ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ସୈନିକ ସ୍କୁଲ, ଜାତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ , ସୁନାବେଡ଼ା ମିଗ୍ ବିମାନ କାରଖାନା, ପାରାଦ୍ୱୀପ ବନ୍ଦର, ଚୌଦ୍ୱାର ଓଡ଼ିଶା ବୟନଶିଳ୍ପ କଳ, ରାଉରକେଲା ଇସ୍ପାତ କଳ ଓ ତାଳଚେର ଥର୍ମାଲ ପ୍ରକଳ୍ପ ଇତ୍ୟାଦି ତାଙ୍କର ଅବଦାନ ଅଟେ ।