ଭୁବନେଶ୍ୱର: ଓଡ଼ିଶା ପ୍ରଶାସନରେ ଏବେ ବଡ଼ ପରିବର୍ତ୍ତନ ସ୍ୱରୂପ ସରକାର ଆଣିଛନ୍ତି OAS ଓ ORS ଅଧିକାରୀଙ୍କ ପାଇଁ ନୂଆ ବଦଳି ନୀତି, ଯାହା ସ୍ପଷ୍ଟ କରିଦେଇଛି “ସୁପାରିଶ ନୁହେଁ, ସେବା ହିଁ ପ୍ରଥମ”। ରାଜ୍ୟ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଓ ଲୋକମୁଖୀ କରିବା ଲକ୍ଷ୍ୟରେ ଏହି ନୂଆ ନୀତି ଘୋଷଣା ହୋଇଛି। ଏବେ ଅଧିକାରୀମାନେ କେବଳ କାର୍ଯ୍ୟାଳୟରେ ନୁହେଁ, ଗାଁ ଗହଳିରେ ମଧ୍ୟ ଲୋକଙ୍କ ସହ ନିକଟରେ କାମ କରିବେ।
ନୂଆ ନୀତି ଅନୁଯାୟୀ, OAS (ଗ୍ରୁପ୍-ଏ ଜୁନିଅର ଗ୍ରେଡ୍) ଓ ORS ଅଧିକାରୀମାନେ ଚାକିରିର ପ୍ରଥମ ୬ ବର୍ଷ ଫିଲ୍ଡରେ କାମ କରିବାକୁ ପଡ଼ିବ। ଏହାର ଲକ୍ଷ୍ୟ ସ୍ପଷ୍ଟ ତଳସ୍ତରର ସମସ୍ୟାକୁ ନିଜ ଆଖିରେ ଦେଖିବା ଓ ତାହାର ସମାଧାନ ଖୋଜିବା। ବିଶେଷକରି KBK ଅଞ୍ଚଳ, ଗଜପତି ଓ କନ୍ଧମାଳ ଭଳି ଦୁର୍ଗମ ଅଞ୍ଚଳକୁ ପ୍ରଥମ ପୋଷ୍ଟିଂରେ ଗୁରୁତ୍ୱ ଦିଆଯିବ। ଏଣିକି ବ୍ୟକ୍ତିଗତ ଅନୁରୋଧ କିମ୍ବା ପତିଆରା ବଦଳି କ୍ଷେତ୍ରରେ କାମ କରିବ ନାହିଁ। ପ୍ରତ୍ୟେକ ଅଧିକାରୀଙ୍କୁ ସେମାନଙ୍କ ଚାକିରିର ପ୍ରଥମ ୬ ବର୍ଷ ଫିଲ୍ଡରେ କାମ କରିବାକୁ ପଡ଼ିବ। ଯାହାଫଳରେ ସେମାନେ ତୃଣମୂଳ ସ୍ତରର ସମସ୍ୟା ବୁଝିପାରିବେ।
ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଏବେ ବଦଳି ପାଇଁ କୌଣସି ପାର୍ଟି ନେତାଙ୍କ ଚିଠି କିମ୍ବା ସୁପାରିଶ କାମ କରିବ ନାହିଁ। ଯଦି କେହି ଏପରି ଚେଷ୍ଟା କରିବେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏହା ସହିତ, ବଦଳି ପ୍ରକ୍ରିୟାକୁ ସମୟବଦ୍ଧ କରାଯାଇଛି ପ୍ରତିବର୍ଷ ଏପ୍ରିଲ ୧୫ ରୁ ଜୁନ୍ ୧୫ ମଧ୍ୟରେ ମାତ୍ର ସାଧାରଣ ବଦଳି ହେବ। ଅଧିକାରୀମାନେ ଗୋଟିଏ ସ୍ଥାନରେ ଅତିକମରେ ୨ ବର୍ଷ ଓ ସର୍ବାଧିକ ୩ ବର୍ଷ ରହିପାରିବେ। ସେହିପରି ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ କିମ୍ବା ସମଗ୍ର ସେବାକାଳରେ ୧୦ ବର୍ଷରୁ ଅଧିକ ରହିବାକୁ ମନା। ଏହାସହ ନିଜ ଜିଲ୍ଲାରେ ପୋଷ୍ଟିଂ ପାଇବା ଅବସର ମଧ୍ୟ ବନ୍ଦ କରାଯାଇଛି।
ବଦଳି ନିର୍ଦ୍ଦେଶ ପରେ ୭ ଦିନ ମଧ୍ୟରେ ପୁରୁଣା ଦାୟିତ୍ୱ ଛାଡ଼ିବା ଓ ପରବର୍ତ୍ତୀ ୭ ଦିନ ମଧ୍ୟରେ ନୂଆ ସ୍ଥାନରେ ଯୋଗ ଦେବା ଅନିବାର୍ଯ୍ୟ। ତଥାପି, ୪୦% ରୁ ଅଧିକ ଭିନ୍ନକ୍ଷମ ଅଧିକାରୀଙ୍କ ପାଇଁ ସହାନୁଭୂତି ଓ ସ୍ୱାମୀ-ସ୍ତ୍ରୀ ଉଭୟ ସରକାରୀ ଚାକିରିଆ ହେଲେ ପାଖାପାଖି ପୋଷ୍ଟିଂର ବ୍ୟବସ୍ଥା ରହିଛି।
ବଦଳି ନିର୍ଦ୍ଦେଶ ମିଳିବାର ୭ ଦିନ ମଧ୍ୟରେ ଅଧିକାରୀଙ୍କୁ ପୁରୁଣା ଦାୟିତ୍ୱ ଛାଡ଼ିବାକୁ ହେବ। ପରବର୍ତ୍ତୀ ୭ ଦିନ ମଧ୍ୟରେ ନୂଆ ସ୍ଥାନରେ ଯୋଗ ଦେବାକୁ ହେବ। ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବା ଅଧିକାରୀଙ୍କ ଅନୁରୋଧକୁ ସହାନୁଭୂତିର ସହ ବିଚାର କରାଯିବ। ସ୍ୱାମୀ-ସ୍ତ୍ରୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ, ସେମାନଙ୍କୁ ପାଖାପାଖି ସ୍ଥାନରେ ରଖିବାକୁ ଚେଷ୍ଟା କରାଯିବ। ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଯେଉଁମାନେ KBK ଭଳି ଅଞ୍ଚଳରେ ୩ ବର୍ଷ ସେବା ଦେବେ, ସେମାନଙ୍କୁ ପରବର୍ତ୍ତୀ ବଦଳିରେ ପସନ୍ଦର ଜିଲ୍ଲା ପାଇଁ ପ୍ରାଥମିକତା ମିଳିବ। ଏହି ନୂଆ ନୀତି ଓଡ଼ିଶା ପ୍ରଶାସନକୁ “ଅଫିସର କେନ୍ଦ୍ରିତ” ଠାରୁ “ଲୋକ କେନ୍ଦ୍ରିତ” ପରିବର୍ତ୍ତନର ଏକ ଦୃଢ଼ ପଦକ୍ଷେପ ହେବ।
ଅଧିକ ପଢନ୍ତୁ: ଥାର୍ କିଣାରେ ବଡ଼ ଘୋଟାଲା; ୧୨ କୋଟିର ହିସାବ ମାଗିଲେ ସରକାର, ଅଡିଟ୍ ରେ ଖୋଲିବ ସତ୍ୟ