ସୀମା ପୁନଃ ନିର୍ଦ୍ଧାରଣକୁ ନେଇ ରାଜ୍ୟ ରାଜନୀତିରେ ତେଜ ହେଉଛି ତର୍କ ବିତର୍କ। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିକୁ ନେଇ ସରକାର ପକ୍ଷରୁ କଠୋର ପ୍ରତିକ୍ରିୟା ଆସିଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏପରି ଗୁରୁତ୍ୱପୂର୍ଣ୍ଣ ଜାତୀୟ ବିଷୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଜଣେ ବରିଷ୍ଠ ନେତାଙ୍କୁ ଶୋଭା ଦେଉନି।
ମନ୍ତ୍ରୀଙ୍କ କହିବାନୁଯାୟୀ, ସୀମା ପୁନଃ ନିର୍ଦ୍ଧାରଣ କେବଳ ରାଜନୈତିକ ନୁହେଁ, ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବାର ଏକ ବଡ଼ ପଦକ୍ଷେପ। କେନ୍ଦ୍ର ସରକାର ଆଗାମୀ ଦିନରେ ଏକ “ଐତିହାସିକ ନିଷ୍ପତ୍ତି” ନେବାକୁ ଯାଉଛନ୍ତି, ଯାହା ଭବିଷ୍ୟତ ରାଜନୀତିର ଦିଗକୁ ପରିବର୍ତ୍ତନ କରିପାରେ। ଏହି ପରିପ୍ରେକ୍ଷିତରେ “ସେତିକି ବଢିବ, ଏତିକି ବଢିବ” ବୋଲି ଲୋକମାନଙ୍କ ମଧ୍ୟରେ ଅନାବଶ୍ୟକ ଭ୍ରମ ସୃଷ୍ଟି କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ପୃଥ୍ଵୀରାଜ ଆହୁରି ମଧ୍ୟ କହିଛନ୍ତି, ଯଦି ସୀମା ପୁନଃ ନିର୍ଦ୍ଧାରଣ ପରେ ସିଟ୍ ସଂଖ୍ୟା ବୃଦ୍ଧି ପାଏ, ତେବେ ଏହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ହେବ। ବଡ଼ ନିର୍ବାଚନ ମଣ୍ଡଳୀ ବଜାୟ ଯଦି ସମାନ ଆକାରର ମଣ୍ଡଳୀ ରହେ, ତେବେ ଜନପ୍ରତିନିଧିମାନଙ୍କ ପାଇଁ କାମ କରିବା ସହଜ ହୁଏ। ଏହି ଦୃଷ୍ଟିକୋଣରୁ ସରକାର ଏହାକୁ ଗଠନାତ୍ମକ ପଦକ୍ଷେପ ଭାବେ ଦେଖୁଛି।
ଅନ୍ୟପଟେ, ବିଜେଡି ପକ୍ଷରୁ ସ୍ୱତନ୍ତ୍ର ଅଧିବେଶନ ଡାକିବା ଦାବିକୁ ମନ୍ତ୍ରୀ ଟାର୍ଗେଟ୍ କରି କହିଛନ୍ତି ଏହା ପରୋକ୍ଷ ଭାବେ BJDର ମହିଳା ସଂରକ୍ଷଣକୁ ବିରୋଧ କରିବାର ଏକ ନୂଆ ଯୋଜନା ହୋଇପାରେ। ଏହି ପ୍ରସଙ୍ଗରେ ସେ ନବୀନ ପଟ୍ଟନାୟକଙ୍କୁ ବିବାଦରୁ ଦୂରେଇ ରହିବାକୁ ଓ ଗଠନାତ୍ମକ ଭୂମିକା ନେବାକୁ ଆହ୍ୱାନ କରିଛନ୍ତି।
ସୀମା ପୁନଃ ନିର୍ଦ୍ଧାରଣ ବିଷୟକୁ ନେଇ ବୁଧବାର ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ବୁଧବାର ଲେଖିଥିବା ଚିଠିରେ ନବୀନ କହିଛନ୍ତି, ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍ ୨୦୨୬ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଦ୍ୱାରା ଲୋକ ସଭା ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ। ଲୋକ ସଭା ସଦସ୍ୟ ସଂଖ୍ୟା ୫୪୩ରୁ ବୃଦ୍ଧି ପାଇ ୮୫୦ ହେବ। ବର୍ତ୍ତମାନ ଓଡ଼ିଶାର ଲୋକ ସଭା ଆସନ ସଂଖ୍ୟା ୨୧ ରହିଛି, ଯାହା ମୋଟ୍ ଆସନ ସଂଖ୍ୟାର ୩.୯%। ମାତ୍ର ଉପରୋକ୍ତ ସଂଶୋଧନ ବିଲ୍ ଯଦି ପାରିତ ହୁଏ, ତେବେ ରାଜ୍ୟରେ ଲୋକ ସଭା ଆସନ ସଂଖ୍ୟା ୨୯କୁ ବୃଦ୍ଧି ପାଇବ। ଏହାଦ୍ୱାରା ଆନୁପାତିକ ହାରରେ ମୋଟ୍ ଆସନ ସଂଖ୍ୟାର ୩.୯% ହାର ୩.୪%କୁ ହ୍ରାସ ଘଟିବ।
ନବୀନ ଆହୁରି ଉଲ୍ଲେଖ କରିଛନ୍ତି, ରିପୋର୍ଟ ଅନୁଯାୟୀ ଏହି ପ୍ରସ୍ତାବିତ ନୂତନ ବ୍ୟବସ୍ଥା ଦ୍ୱାରା ଓଡ଼ିଶାର ବିପୁଳ କ୍ଷତି ସହିବାରେ ଦେଶର ୪ର୍ଥ ରାଜ୍ୟ ହେବ। ଆମ ଭବିଷ୍ୟତ ପିଢ଼ି ପାଇଁ ଏହାଦ୍ୱାରା ବହୁ ଅନ୍ୟାୟ ହେବ। ଯଦି ଓଡ଼ିଶାର ରାଜନୈତିକ ଅଧିକାର ଏହାଦ୍ୱାରା ଯଦି ଅକ୍ଷୁଣ୍ଣ ରୁହେ ତେବେ ଏହି ବିଲ୍କୁ ସ୍ବାଗତ କରାଯିବ। ମାତ୍ର ସମ୍ବିଧାନରେ ଉଲ୍ଲେଖିତ ସହଯୋଗମୂଳକ ସଂଘୀୟବାଦର ଏହି ବିଲ୍ ବିରୁଦ୍ଧାଚରଣ କରୁଛି। ତେଣୁ ଓଡ଼ିଶାର ରାଜନୈତିକ ଅଧିକାର କ୍ଷୁଣ୍ଣ ହେଲା ଭଳି ଯଦି କୌଣସି କାର୍ଯ୍ୟ ଘଟେ ତେବେ ଏହା ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପ୍ରତି ଐତିହାସିକ ଧୋକା ହେବ।
ସୀମା ପୁନଃ ନିର୍ଦ୍ଧାରଣକୁ ନେଇ ଏହି ରାଜନୈତିକ ମୁକାବିଲା ଆଗାମୀ ଦିନରେ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ଏହା କେବଳ ଏକ ପ୍ରଶାସନିକ ପ୍ରକ୍ରିୟା ନୁହେଁ, ବରଂ ରାଜ୍ୟ ଓ ଦେଶର ରାଜନୀତିକ ସମୀକରଣକୁ ନୂଆ ଦିଗ ଦେବାର ଏକ ମୁଖ୍ୟ ପଦକ୍ଷେପ ଭାବେ ଦେଖାଯାଉଛି।