ଫୁଲବାଣୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେରାନ ବେହେରା। ସେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପେଞ୍ଜିସାହି ଅଞ୍ଚଳର ବାସିନ୍ଦା।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ତାଙ୍କୁ ପିଟିପିଟି କୋର୍ଟକୁ ନେଇଥିଲେ ଏବଂ ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ପରେ ଜେଲ୍ରେ ଥିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକେ ନ୍ୟାୟ ଦାବି କରି କନ୍ଧମାଳ ଏସପିଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।
ଅନ୍ୟପଟେ, ଫୁଲବାଣୀ SDPO ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ମୃତକ ନିଶାଗ୍ରସ୍ତ ଥିବା ଜଣାପଡ଼ିଛି। ଡକାୟତି ମାମଲାରେ ଗିରଫ କରି ପରିବାର ଲୋକଙ୍କ ଉପସ୍ଥିତିରେ କୋର୍ଟ ଚାଲାଣ କରାଯାଇଥିଲା। ପରେ ଜେଲ୍ରେ ଅସୁସ୍ଥ ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ, ଏବେ ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ଏବଂ ସମସ୍ତଙ୍କ ଦୃଷ୍ଟି ଏବେ ତଦନ୍ତ ରିପୋର୍ଟ ଉପରେ ରହିଛି।