ଭୁବନେଶ୍ୱର: ଓଡ଼ିଶାରେ ଥାର୍ ଗାଡ଼ି କିଣାକୁ ନେଇ ବଡ଼ ବିବାଦ ଦେଖାଦେଇଛି। ଥାର୍ କିଣାରେ ଘୋଟାଲା ହୋଇଥିବାରୁ ୧୨ କୋଟିର ହିସାବ ମାଗିଛନ୍ତି ସରକାର। ଜଙ୍ଗଲ ବିଭାଗ ପକ୍ଷରୁ ୫୧ଟି ମହିନ୍ଦ୍ରା ଥାର୍ ଗାଡ଼ି କିଣା ଓ ସେଗୁଡ଼ିକର ମୋଡିଫିକେସନ୍ ଖର୍ଚ୍ଚ ଏବେ ସନ୍ଦେହ ଘେରରେ ପଡ଼ିଛି। ପ୍ରାୟ ୧୨ କୋଟି ଟଙ୍କାର ଏହି ଖର୍ଚ୍ଚକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିବା ପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଗାଡ଼ି କିଣାରେ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେହି ଗାଡ଼ିଗୁଡ଼ିକୁ ସଜାଇବା ପାଇଁ ଅନ୍ୟ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍, ଗୋଟିଏ ଗାଡ଼ିର ମୂଲ୍ୟ ସହିତ ପ୍ରାୟ ସମାନ ଟଙ୍କା କେବଳ ମୋଡିଫିକେସନ୍ ପାଇଁ ଖର୍ଚ୍ଚ ହୋଇଥିବାରୁ ସାଧାରଣ ଲୋକଙ୍କ ମନରେ ଏନେଇ ସନ୍ଦେହ ବଢ଼ିଛି।
CAG (ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ) ରିପୋର୍ଟରେ ଏହି ସମସ୍ତ ଖର୍ଚ୍ଚରେ ଅନିୟମିତତା ଥିବା ଉଲ୍ଲେଖ କରାଯାଇଛି। ପ୍ରିନ୍ସପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ୍ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରିପୋର୍ଟ ଅନୁସାରେ, ଥର୍ ଗାଡ଼ି କିଣାରେ ମୋଟ ୨୮ କୋଟି ୪୫ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଧରିଛନ୍ତି ଏଜି।
ଏହା ସହିତ ଅନ୍ୟ ଏକ ଚିନ୍ତାଜନକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ମୋଟ ଖର୍ଚ୍ଚ ମଧ୍ୟରୁ ପ୍ରାୟ ୧୭ କୋଟି ଟଙ୍କା ଗାଡ଼ି କିଣା ଓ ମୋଡିଫିକେସନ୍ରେ ବ୍ୟୟ ହୋଇଥିବା ବେଳେ ବାକି ୧୧ କୋଟି ୪୫ ଲକ୍ଷ ଟଙ୍କା କେଉଁଠି ଗଲା, ସେଥିପାଇଁ ସ୍ପଷ୍ଟ ତଥ୍ୟ ମିଳୁନାହିଁ। ଏହା ଦୁର୍ନୀତି ଅଭିଯୋଗକୁ ଆଉ ମଜବୁତ କରିଛି।
ଏହି ଗାଡ଼ିଗୁଡ଼ିକୁ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ହେଭି ଡ୍ୟୁଟି ବମ୍ପର, ସ୍ନୋରକେଲ୍, ରୁଫ୍ ର୍ୟାକ୍, ବିଶେଷ ଲାଇଟ୍ ଓ କ୍ୟାମେରା ସହିତ ସଜାଯାଇଥିଲା। କିନ୍ତୁ ଏତେ ବଡ଼ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ଅନୁମତି ନିଆଯାଇଥିଲା କି ନାହିଁ ଓ ଟେଣ୍ଡର ପ୍ରକ୍ରିୟା ସ୍ୱଚ୍ଛ ଥିଲା କି ନାହିଁ, ସେଥିରେ ମଧ୍ୟ ପ୍ରଶ୍ନ ଉଠିଛି।
ବିରୋଧୀ ଦଳ ଏହାକୁ ବଡ଼ ଦୁର୍ନୀତି ଭାବେ ଉଠାଇ ଜନସାଧାରଣଙ୍କ ଟଙ୍କାର ଅପବ୍ୟବହାର ହୋଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜଙ୍ଗଲ ବିଭାଗ କହିଛି ଯେ ଦୁର୍ଗମ ଅଞ୍ଚଳରେ ଶିକାରୀଙ୍କୁ ରୋକିବା ପାଇଁ ଏପରି ଶକ୍ତିଶାଳୀ ଗାଡ଼ି ଆବଶ୍ୟକ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସ୍ପଷ୍ଟ କରିଛନ୍ତି ଯେଉଁଠି ଅନିୟମିତତା ହୋଇଥିବ, ସେଠି କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଯିଏ ବି ଦୋଷୀ ତାକୁ ଛଡ଼ାଯିବନି ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଏହି ଅଡିଟ୍ ରିପୋର୍ଟ ଉପରେ ସତ୍ୟ ବାହାରିବ କି ନା ଆଉ ଏକ ମହାଘୋଟାଲା ଚାପି ଯିବ?
ଅଧିକ ପଢନ୍ତୁ: ନବୀନ ପଟ୍ଟନାୟକଙ୍କ ଚିଠିରେ ଆଇନ ମନ୍ତ୍ରୀଙ୍କ ଜବାବ; କହିଲେ, ସିଟ୍ ବଢିବାକୁ ବିରୋଧ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ