ମୟୁରଭଞ୍ଜ: କେନ୍ଦ୍ର ସରକାରଙ୍କ ଡେଡ୍ ଲାଇନ୍ ଶେଷ ହୋଇଛି । କିନ୍ତୁ ଦେଶରେ ଏବେବି ସକ୍ରିୟ ରହିଛନ୍ତି ମାଓବାଦୀ । ବୁଧବାର ସକାଳୁ ସକାଳୁ ଗୁଳି ଏବଂ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଥରି ଉଠିଛି ସରଣ୍ଡା ଜଙ୍ଗଲ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ଜାରି ହୋଇଛି । ସେପଟେ ସୁରକ୍ଷାବାହିନୀ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୪ରୁ ୫ ଜଣ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ମାଓବାଦୀଙ୍କ ଗୁଳିରେ ୫ ଜଣ କୋବ୍ରା ଯବାନ ଗୁରୁତର ଆହତ ହୋଇଛି ।
ପଶ୍ଚିମ ସିଂହଭୂମ ଜିଲ୍ଲାର ବାଲିବା ଜଙ୍ଗଲର ସରଣ୍ଡା ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୧୫ ମାଓବାଦୀ ଏକ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିବା ସୁରକ୍ଷାବାହିନୀକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଝାଡ଼ଖଣ୍ଡ ପୋଲିସ, ସିଆରପିଏଫର ୨୦୫ ବାଟାଲିଅନ୍, ଝାଡ଼ଖଣ୍ଡ ଜାଗୁଆର୍ ଏବଂ କୋବ୍ରା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ସମୟରେ ପ୍ରବଳ ଗୁଳି ବିନିମୟ ହେବା ସହିତ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ମଧ୍ୟ କରିଛନ୍ତି । ଗୁଳି ବିନିମୟ ସମୟରେ ୩ ଜଣ ମାଓବାଦୀ ଟଳି ଥିବାର ସୂଚନା ମିଳିଛି । ଅନ୍ୟପକ୍ଷେ ଅପରେସନରେ ସାମିଲ ଥିବା କୋବ୍ରା ବାଟାଲିୟନର ୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ରାଞ୍ଚି ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଛି । ସେମାନଙ୍କୁ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସ୍ଥିର ଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତ ଯବାନଙ୍କ ମଧ୍ୟରେ ଅଛନ୍ତି ଜିତେନ୍ଦ୍ର କୁମାର, ଶୈଳଶ କୁମାର, ଉତ୍ତମ ସେନାପତି, ଜଣେ ଇନସ୍ପେକ୍ଟର ରହିଛନ୍ତି ।
ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି । ତେବେ ଏ ନେଇ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇ ନାହିଁ ।