ଢେଙ୍କାନାଳ : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀର ଜୀବନ। ଢେଙ୍କାନାଳ ଟାଉନଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା, ଦୁର୍ଘଟଣାରେ ବାଇକ୍କୁ ଧକ୍କା ଦେଇ ଚାପିଦେଇଛି ପିଡିଏସ୍ ଚାଉଳ ବୋଝାଇଥିବା ଟ୍ରକ। ଏହି ଦୁର୍ଘଟଣାରେ ରଗଡିସାହିର ଶ୍ୟାମସୁନ୍ଦର ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଭାରତୀ ନାୟକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ ସଂଗ୍ରାମ କରୁଛନ୍ତି।ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ସେହିପରି ବାଲେଶ୍ୱରର ଜାତୀୟ ରାଜପଥ-୧୬ ଉପରେ ଆଉ ଏକ ଭୟାବହ ଦୁର୍ଘଟଣା ଘଟିଛି। ପୁରୀରୁ ଟାଟା ଯାଉଥିବା “ଶାନ୍ତିଲତା” ନାମକ ଘରୋଇ ବସ୍ ଜାମୁଝାଡ଼ି ଗଳା ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଦୁଇ ଘଟଣା ପୁଣିଥରେ ରାଜ୍ୟରେ ସଡ଼କ ସୁରକ୍ଷା ଓ ଅବହେଳା ନେଇ ଗଭୀର ପ୍ରଶ୍ନ ଉଠାଇଛି।