ନୟାଗଡ଼ ଜିଲ୍ଲାରୁ ଆସିଛି ଏକ ଲଜ୍ଜାଜନକ ଘଟଣା। ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର ମଳିକଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଶିକ୍ଷକ ଟିକାବାଲି ଥାନା ଅଞ୍ଚଳର ଏକ ହାଇସ୍କୁଲରେ କାର୍ଯ୍ୟରତ ଥିଲେ। ତେବେ ଏହା ତାଙ୍କ ବିରୁଦ୍ଧରେ ପ୍ରଥମ ଅଭିଯୋଗ ନୁହେଁ। ପୂର୍ବରୁ ମଧ୍ୟ ହଷ୍ଟେଲରେ ମଦ୍ୟପାନ କରି ଛାତ୍ରୀମାନଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ତାଙ୍କ ବିରୋଧରେ ଗଭୀର ଅଭିଯୋଗ ଆସିଥିଲା। ଏହା ପରେ ସ୍କୁଲ କମିଟି, ଶିକ୍ଷକ ଓ ଅଭିଭାବକମାନଙ୍କ ମିଶିତ ନିଷ୍ପତ୍ତିରେ ତାଙ୍କୁ ହଷ୍ଟେଲରୁ ବାହାର କରାଯାଇଥିଲା। ତଥାପି ସେ ସ୍ଥାନୀୟ ଅଞ୍ଚଳରେ ରହି ସ୍କୁଲକୁ ଯାଉଥିଲେ। ହେଲେ ଘଟଣା ଗୁରୁତର ମୋଡ଼ ନେଲା, ଯେତେବେଳେ ଗାଁରେ ରହୁଥିବା ସମୟରେ ସେହି ଶିକ୍ଷକ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆସିଲା। ଏନେଇ ଛାତ୍ରୀଙ୍କ ମାଆ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ମାମଲା ରୁଜୁ ହୋଇଥିବା ସହିତ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଶିକ୍ଷାସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଧିକ ପଢନ୍ତୁ:ଆଶ୍ରମ ସ୍କୁଲର ଛାତ୍ରୀ ମୃତ୍ୟୁ ଘଟଣାରେ RDC ତଦନ୍ତ ଆରମ୍ଭ; ବିଷାକ୍ତ ଖାଦ୍ୟ ଘଟଣାରେ ହେବ ବଡ଼ ଖୁଲାସା