ସମ୍ବଲପୁର: ସମ୍ବଲପୁର ଦଳାଇପଡ଼ାଠାରେ "ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ" ଲୋକର୍ପିତ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଶୌର୍ଯ୍ୟ, ଧୈର୍ଯ୍ୟ ଓ ପରାକ୍ରମର ପ୍ରତୀକ । ଏହି ସଂଗ୍ରହାଳୟ ଆଗାମୀ ପିଢ଼ିକୁ ନିଜର ଐତିହ୍ୟ ଓ ଇତିହାସ ବିଷୟରେ ଜାଣିବା ପାଇଁ ପ୍ରେରିତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଆଜି ଏହି ସଂଗ୍ରହାଳୟକୁ ଉଦଘାଟନ କରି କହିଛନ୍ତି ଯେ, ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ସଂଗ୍ରହାଳୟର ଉଦଘାଟନ ଆମର ସ୍ୱାଭିମାନ ଓ ବୀରତ୍ୱର ଗାଥାକୁ ସମ୍ମାନ ଜଣାଇବାର ଏକ ଅନନ୍ୟ ପ୍ରୟାସ । ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ‘ଇଣ୍ଟାକ୍’ ର ମିଳିତ ପ୍ରୟାସରେ ନିର୍ମିତ ଏହି ସଂଗ୍ରହାଳୟ ନିର୍ମିତ ହୋଇଛି । ଏଠାରେ ସମ୍ବଲପୁରର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଅନେକ ଦୁର୍ଲଭ ଫଟୋ ଚିତ୍ର ପ୍ରଦର୍ଶିତ ହୋଇଛି। ଏଥିସହ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଅଞ୍ଚଳର ବରେଣ୍ୟ ମହାପୁରୁଷମାନଙ୍କର ଜୀବନ୍ତ କଳାଚିତ୍ର ସ୍ଥାନ ପାଇଛି । ଏହି କଳାକୃତିଗୁଡ଼ିକ ମାଧ୍ୟମରେ ସମ୍ବଲପୁରର ବୀରତ୍ୱ ଗାଥା ଓ ସାଂସ୍କୃତିକ ବିଭବକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅନୁଯାୟୀ, ସମ୍ବଲପୁରର ଇତିହାସ ପ୍ରାୟ ୧୦,୦୦୦ ବର୍ଷରୁ ଅଧିକ ପୁରୁଣା, ଯାହାର ପ୍ରମାଣ ଏଠାକାର ଗୁମ୍ଫା ଚିତ୍ରକଳା ତଥା ରକ୍ ଆର୍ଟରୁ ମିଳିଥାଏ । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଆଞ୍ଚଳିକ ସଂଗ୍ରାମୀମାନଙ୍କ ଗାଥାକୁ ସାରା ଦେଶରେ ପହଞ୍ଚାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଶ୍ରୀ ପ୍ରଧାନ ସମ୍ବଲପୁରବାସୀ ଏବଂ ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଏହି ସଂଗ୍ରହାଳୟ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତି।
ଏହାବ୍ୟତୀତ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ହୋଇଥିବା ଆଲୋଚନାରେ ସମ୍ବଲପୁରରେ ଏକ ନୂତନ ‘ଆର୍ଟ, ମ୍ୟୁଜିକ୍ ଏବଂ କ୍ରାଫ୍ଟ କଲେଜ’ ପ୍ରତିଷ୍ଠା ପାଇଁ ଚର୍ଚ୍ଚା ହୋଇଥିବା ସେ କହିଛନ୍ତି । ଏହା ସହିତ ସ୍ଥାନୀୟ କଳାକାରମାନଙ୍କ ପାଇଁ ନିର୍ମାଣାଧୀନ ଅଡିଟୋରିୟମ୍ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ ଦିନରେ ସମ୍ବଲପୁରର ପ୍ରସିଦ୍ଧ ପଞ୍ଚବାଦ୍ୟ, ଡାଲଖାଇ ଓ ରଙ୍ଗବତୀ ପରି ସାଂସ୍କୃତିକ ଐତିହ୍ୟକୁ ଆହୁରି ଭବ୍ୟ କରିବା ଏବଂ କଳାକାରମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଆମର ପ୍ରାଥମିକତା ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।