ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ ‘ଦ କିଙ୍ଗ ଅଫ ଫରେଷ୍ଟ’ ଗ୍ୟାଙ୍ଗର ମୁଖ୍ୟ ରାକେଶ ନାଥକୁ ଗିରଫ କରିଛି । ରାକେଶ ହେଉଛି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ୨୦୧୮ ମସିହାର ବହୁ ଚର୍ଚ୍ଚିତ ବିଜେଡି ନେତା ଯଶୋବନ୍ତ ପରିଡ଼ା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅପରାଧୀ ଥିଲା ରାକେଶ ନାଥ ।
ରାକେଶ ଗତ କାଲି ଆଳତୁମା ଖୁଣ୍ଟାପଶି ସାହିର ସୁବାଷ ଖୁଣ୍ଟିଆଙ୍କ ଘରେ ପଶି ପାଞ୍ଚ ରାଉଣ୍ଡ ଗୁଳି ଚଳାଇବା ସହ ସିସିଟିଭି କ୍ୟାମେରା, ଫ୍ରିଜ ଓ ଅନ୍ୟାନ୍ୟ ଆସବାବପତ୍ରକୁ ଭାଙ୍ଗିଥିବା ଅଭିଯୋଗ ହୋଇଛି । ରାକେଶ ସହ ତାର ଅନ୍ୟ ଚାରି ଜଣ ସହଯୋଗୀ ମଧ୍ୟ ଥିଲେ । ଚାରି ସହଯୋଗୀ ଘଟଣା ଘଟାଇ ଖସି ଯାଇଥିବା ବେଳେ ପୋଲିସକୁ ଦେଖି ଛାତ ଉପରୁ ଡେଇଁ ପଳାଇବାକୁ ଉଦ୍ୟମ କରିଥିଲା ରାକେଶ । ଫଳରେ ଛାତ ଉପରୁ ପଡି ରାକେଶ ଗୁରୁତର ଆହତ ହୋଇଥିଲା । ରାକେଶକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି କାମାକ୍ଷାନଗର ପୋଲିସ।
ସୌଭାଗ୍ୟ ବଶତଃ କାହା ଦେହରେ କିଛି ଗୁଳି ବାଜି ନଥିବା ସୂଚନା ରହିଛି । ସୁବାଷ ଖୁଣ୍ଟିଆ ମଧ୍ୟ ପୂର୍ବରୁ କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗ୍ ରାକେଶର ସହଯୋଗୀ ଥିଲା। ତେବେ କାହିଁକି ରାକେଶ ନାଥ ଗୁଳି ଚାଳନା କରିବା ସହ ସୁବାଷ ଖୁଣ୍ଟିଆ ଘରେ ଆକ୍ରମଣ କରିଥିଲା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣା ସ୍ଥଳରୁ ଖୋକା ମଧ୍ୟ ଜବତ କରିଛି । ସେପଟେ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଦେଇଛି।