ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅଣ୍ଡ୍ରି ଗାଁରେ ମାନବିକତାକୁ ଲଜ୍ଜା ଦେଇଥିବା ଘଟଣା ସମ୍ମୁଖରେ ଆସିଛି। ମାଣିକ ସାନ୍ତାଙ୍କ ମୃତ୍ୟୁ ପରେ ୩୬ ଘଣ୍ଟା ଧରି ମୃତଦେହ ଘରେ ପଡିରହିଲା, କିନ୍ତୁ ଶେଷକୃତ୍ୟ ପାଇଁ ଗାଁ ଶ୍ମଶାନରେ ଜାଗା ମିଳିଲା ନାହିଁ। ଫଳରେ ୩୬ ଘଣ୍ଟା ପରେବି ଉଠିଲାନି ମୃତଦେହ। ନିଜ ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବ ସତ୍କାର ପାଇଁ ଗାଁଲୋକ ଜାଗା ଦେଉନଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଉମରକୋଟ ପୋଲିସ ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝା ସୁଝା ଜାରି ରଖିଛନ୍ତି କିନ୍ତୁ ସମସ୍ତେ ନିଜ ନିଜ ଜିଦରେ ଅଟଳ ଅଛନ୍ତି।
ସୂଚନା ମୁତାବିକ ଗାଁର ରାୟମତି ଗଣ୍ଡଙ୍କ ଗତକାଲି ଅପରାହ୍ଣ ୩ଟାରେ ମୃତ୍ୟୁ ହୋଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟ କରିବାକୁ ପରିବାର ପକ୍ଷରୁ ମୃତଦେହ ଘରୁ ବାହାର କରିବା ବେଳେ ଗାଁର କିଛି ପରିବାର ବିରୋଧ କରିଥିଲେ। ୩ବର୍ଷ ତଳେ ରାୟମତି ଏବଂ ତାଙ୍କ ପରିବାର ଧର୍ମ ପରିବର୍ତ୍ତନ କରିଥିବାରୁ କୌଣସି ପରିସ୍ଥିତିରେ ଗାଁ ଶ୍ମଶାନରେ ଶେଷକୃତ୍ୟ ହୋଇପାରିବ ନାହିଁ ବୋଲି ଶୁଣାଇ ଦେଇଥିଲେ। ବିବାଦ ବଢ଼ିବାରୁ ଗାଁରେ ବୈଠକ ବସିଥିଲା।
ଖବର ପାଇ ରାଇଘର ଥାନା ଅଧିକାରୀ, ଉମରକୋଟ ଏସ୍ଡିପିଓ, ସ୍ଥାନୀୟ ତହସିଲଦାର ଗାଁରେ ପହଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ଦୁଇଗୋଷ୍ଠୀ ମଧ୍ୟରେ ଗତକାଲି ରାତି ପର୍ଯ୍ୟନ୍ତ ବିବାଦ ଲାଗି ରହିଥିଲା। ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ରହି ଗ୍ରାମବାସୀଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ନ ଥିବା ଜଣାପଡ଼ିଛିl
ଏ ନେଇ ଗାଁରେ ଏକ ବୈଠକ କରାଯାଇ ଦୁଇ ଧର୍ମର ଲୋକେ ଆଲୋଚନା କରୁଛନ୍ତିl ଯଦି ମୃତକଙ୍କ ପରିବାର ହିନ୍ଦୁଧର୍ମ ଗ୍ରହଣ କରନ୍ତି, ତା’ହେଲେ ଗାଁ ମଶାଣିରେ ଶବ ସତ୍କାର ପାଇଁ ଜାଗା ଦେବେ ଏବଂ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି। ଖବରପାଇ ଉମରକୋଟ ତହସିଲଦାର ମେଗବାନ ବାଗ, ବିଡିଓ ମନୋଜ କୁମାର ମେହେର, ଆଇଆଇସି ବିପିନ କୁମାର ବାଗ, ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି। ତେବେ ଶେଷରେ ପୋଲିସ ପ୍ରଶାସନ ଉକ୍ତ ମହିଳାଙ୍କ ଜାଗାରେ ମୃତଦେହ ପୋତି ଦେଇଥିବା ଜଣାପଡ଼ିଛି।