ଚେନ୍ନାଇ: ଋତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲ୍ ୨୦୨୬ ମଝିରେ ବଡ ଝଟକା ଲାଗିଛି । ପ୍ରଥମେ ଏମଏସ ଧୋନିଙ୍କ ଆହତ କାରଣରୁ ସମସ୍ୟାରେ ପଡିଥିବା ପ୍ରଶଂସକ ଏବଂ ଚେନ୍ନାଇକୁ ଲାଗିଛି ଆଉ ଏକ ବଡ ଝଟକା । ଦଳର ଦ୍ରୁତ ବୋଲର ଖଲିଲ ଅହମ୍ମଦ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ହେଲେ ଚେନ୍ନାଇ ସୁପର କିଙ୍ଗସ ଏବଂ ଆଇପିଏଲ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନି । ଚେନ୍ନାଇ ପରବର୍ତ୍ତୀ ମ୍ୟାଚ୍ ଏପ୍ରିଲ ୨୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ ।
ପିଟିଆଇ ଅନୁଯାୟୀ, ଖଲିଲ ଅହମ୍ମଦ ଆହତ ଜନିତ ସମସ୍ୟା କାରଣରୁ ଚଳିତ ଆଇପିଏଲର ଅବଶିଷ୍ଟ ଟୂର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି । ଖଲିଲ ଅହମ୍ମଦ ଏପ୍ରିଲ ୧୪ରେ କେକେଆର ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟରୁ ସେ ସିଏସକେ ପାଇଁ ପ୍ରଭାବଶାଳୀ ପ୍ରଦର୍ଶନ କରି ଆସିଛନ୍ତି । ହେଲେ ସେ ବାଦ୍ ପଡିବା ଚେନ୍ନାଇ ପାଇଁ ବହୁତ ବଡ ଝଟକା ।
ଆଇପିଏଲର ସୂତ୍ର ଅନୁଯାୟୀ, ଖଲିଲଙ୍କ ଆହତ ସମସ୍ୟା ଗ୍ରେଡ ୨ ଟିୟରରେ ରହିଛି । ସେଥିରୁ ସୁସ୍ଥ ହେବା ପାଇଁ ତାଙ୍କୁ ଅନ୍ତତଃ ୧୦ରୁ ୧୨ ସପ୍ତାହ ସମୟ ଲାଗିପାରେ । ଏହି ବାମହାତୀ ଦ୍ରୁତ ବୋଲର ଭାରତ ପାଇଁ ୧୧ଟି ଦିନିକିଆ ଓ ୧୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଶେଷ ଥର ଟିମ୍ ଇଣ୍ଡିଆ ତରଫରୁ ଖଲିଲ ଅହମ୍ମଦ ୨୦୨୪ ଜୁଲାଇରେ ଖେଳିଥିଲେ ।
ଅନ୍ୟପଟେ ଏମଏସ ଧୋନି କେବେ ଫେରିବେ ତାକୁ ନେଇ ଏବେ ବି ସସପେନ୍ସ ରହିଛି । କୁହାଯାଉଛି ଏପ୍ରିଲ ୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଘଟିପାରେ । ତାଙ୍କ ଅନୁପସ୍ଥିତି ଦଳକୁ ବେଶ ଅନୁଭୁତ ହେଉଛି । ସିଏସକେ ନିଜର ପରବର୍ତ୍ତୀ ମ୍ୟାଚ୍ ଏପ୍ରିଲ ୧୮ରେ ଖେଳିବ ।
Also Read: IPL 2026: ଚିନ୍ନାସ୍ୱାମୀରେ LSG ବିପକ୍ଷରେ RCB ପ୍ରଥମ ବିଜୟ, ପଏଣ୍ଟ ଟେବୁଲରେ ଶୀର୍ଷରେ ବେଙ୍ଗାଲୁରୁ