ଭୁବନେଶ୍ୱର: ଧୋକା ଦେଇଦେଲା ମାଟ୍ରିମୋନିର ଦ୍ୱିତୀୟ ପତ୍ନୀ । ପାଖରେ ରହିଲା ଆଉ ଲୁଟି ନେଲା ଲକ୍ଷାଧିକ ଟଙ୍କା । ଶେଷରେ ଥାନାର ଦ୍ୱାରସ୍ଥ ହୋଇଛି ଶିଶୁପାଳ ହୋଇରହିଯାଇଥିବା ବ୍ୟକ୍ତି । ଏଭଳି ଖବର ଆସିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ଧଉଳି ଥାନା ଅଞ୍ଚଳରୁ । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ମହାରାଜପୁର ଗ୍ରାମର ବିସ୍ତୃତ ରଞ୍ଜନ ଦାସଙ୍କ (୩୭) ଠାରୁ ଯୁବତୀ ଜଣକ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି ।
ବିସ୍ତୃତ ରଞ୍ଜନ ଦାସ ବାଲେଶ୍ୱରର ମୂଳବାସିନ୍ଦା ହୋଇଥିବାବେଳେ ଭୁବନେଶ୍ଵରରେ ରହି ବ୍ୟବସାୟ କରୁଥିଲେ । ସେ ବିବାହିତ ଥଲେ । ଗତ ୨୦୨୩ରେ ତାଙ୍କ ପତ୍ନୀଙ୍କର ଦେହାନ୍ତା ହୋଇଯାଇଥିଲା । ଏହା ପରେ ପରିବାର ଲୋକେ ଦ୍ୱିତୀୟ ବିବାହ ପାଇଁ ଚାପ ପକାଇବାରୁ ସେ ସାଦି.କମ୍ ମାଟ୍ରିମୋନି ସାଇଟରେ ଏକ ଆକାଉଣ୍ଟ ଖୋଲିଥିଲେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ନଈଛଣପୁର ଗାଁର ହେମଲତା ଗିରି ଓରଫ ମିନି ନାମକ ଜଣେ ମହିଳାଙ୍କ ସହ ତାଙ୍କର ମାଟ୍ରିମୋନିରେ ପରିଚୟ ହୋଇଥିଲା। ହେମଲତା ମଧ୍ୟ ବିବାହିତ ହୋଇଥିବାବେଳେ ତାଙ୍କର ଛାଡ଼ପତ୍ର ହୋଇସାରିଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିବା । ପ୍ରାୟ ୧୦ରୁ ୧୫ ଦିନ ମଧ୍ୟରେ ହେମଲତା ବିସ୍ତୃତଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । କିନ୍ତୁ ହେମଲତା ସର୍ତ୍ତ ରଖିଥିଲେ ଯେ ସେମାନଙ୍କ ବିବାହ ଗୋପନୀୟ ରହିବ । ବିସ୍ତୃତ ଏଥିରେ ମଧ୍ୟ ସହମତି ପ୍ରକାଶ କରିଥିଲେ । ଉଭୟ ଶିଶୁପାଳଗଡ଼ ଶକ୍ତିନଗରରେ ଘର ଭଡ଼ା ନେଇ ଏକାଠି ରହିଥିଲେ । ସେମାନେ ବିବାହିତ ବୋଲି ଘର ମାଲିକଙ୍କୁ କହିଥିଲେ ।
ହେମଲତା ବିଭିନ୍ନ ସମୟରେ ବିସ୍ତୃତଙ୍କଠାରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ନେଇ ଚାଲିଲେ । ପ୍ରାୟ ବର୍ଷକ ମଧ୍ୟରେ ୩୫ରୁ ୪୦ ଲକ୍ଷ ଟଙ୍କା ନେଇଥିଲେ । କିଛି ଦିନ ତଳେ ବିସ୍ତୃତ କୌଣସି କାମରେ ବାଲେଶ୍ୱର ଯାଇଥିଲେ । ହେମଲତାଙ୍କୁ ନ ଜଣାଇ ଘରକୁ ଫେରିବା ପରେ ତାଙ୍କୁ ଆଉ ଜଣେ ବ୍ୟକ୍ତିଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଦେଖିଥିଲେ । ସେ ଚୁପଚାପ ଭିଡିଓ ରେକର୍ଡିଂ କରି ପଳାଇ ଯାଇଥିଲେ । ଧିରେ ଧିରେ ହେମଲତା ଘରକୁ ଅନ୍ୟ ଯୁବକଙ୍କୁ ମଧ୍ୟ ଡାକୁଥିବା ବିସ୍ତୃତ ଜାଣିବାକୁ ପାଇଥିଲେ । ଏହା ପରେ ତାଙ୍କୁ ସିଧାସଳଖ ପଚାରିବାରୁ ମହିଳା ଜଣକ ବିସ୍ତୃତଙ୍କୁ ଦୁଷ୍କର୍ମ ମାମଲାରେ ବିସ୍ତୃତଙ୍କୁ ଫସାଇଦେବ ବୋଲି ଧମକ ଦେଇଥିଲା ।
ତେବେ ବିସ୍ତୃତ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ହେମଲତାଙ୍କ ନାଁରେ ଧଉଳିଥାନାରେ ଏତଲା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-