ବାଲେଶ୍ୱର: ମହୁମାଛି ଆକ୍ରମଣରେ ଶିକ୍ଷକ, ଶିକ୍ଷୟିତ୍ରୀ ଗୁରୁତର। ପାଣିରେ ପଶି ଜୀବନ ବଞ୍ଚାଇଲେ ଶିକ୍ଷକ। ବାଲେଶ୍ୱର ନୀଳଗିରି ସରସ୍ଵତୀ ଶିଶୁ ମନ୍ଦିରରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ମହୁମାଛି ଆକ୍ରମଣରେ ଜଣେ ଶିକ୍ଷକ ଓ ୨ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥିତି ଏପରି ହୋଇଛି ବିଦ୍ୟାଳୟ ଛୁଟି କରିବାକୁ ପଡ଼ିଛି।
ସୂଚନା ଅନୁସାରେ ଆଜି ସକାଳ ସମୟରେ ନୀଳଗିରି ରାଜବାଟୀ ନିକଟରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ଗେଟ୍ ଖୋଲିବା ସମୟର ଅଚାନକ ଶତାଧିକ ମହୁମାଛି ମାନେ ଆକ୍ରମଣ କରିଥିଲେ। ସେ ଜୀବନ ବିକଳରେ ଦୌଡିବା ବେଳକୁ ଆଉ ଦୁଇ ଜଣ ଗୁରୁମାଙ୍କୁ ଆକ୍ରମଣ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ ବଞ୍ଚିବା ପାଇଁ କିଏ ଘରେ ତ କିଏ ପୋଖରୀ ଭିତରେ ବୁଡ଼ି ରହିଥିଲେ। ଏଥିରେ ଜଣେ ଶିକ୍ଷକ ଓ ଦୁଇ ଜଣ ଗୁରୁମା ଗୁରୁତର ହୋଇଥିବା ବେଳେ ସେମାନେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁମା ପ୍ରଭାମଞ୍ଜରୀ ନାୟକ, ଦୀପ୍ତିମୟୀ ପୃଷ୍ଟି ଓ ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ଗୁରୁତର ହୋଇଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଛୁଟି କରାଯାଇଥିବା ଜଣାପଡିଛି।