ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲକୁ ଫେରିଲା ରାଜା ସାହାଣୀ। ଚୌଦ୍ୱାର ମଣ୍ଡଳ କାରାଗାରରୁ ଚମ୍ପଟ ମାରି ପରେ ଗିରଫ ହୋଇଥିବା ରାଜା ସାହାଣୀକୁ କର୍ଣ୍ଣାଟକ ପୋଲିସ ରିମାଣ୍ଡରେ ନେଇଥିଲା। ୭ ଦିନିଆ ରିମାଣ୍ଡ ଅବଧି ସରି ଯାଇଥିବାରୁ ପୁଣି ଓଡ଼ିଶା ଜେଲକୁ ଫେରିଛି ରାଜା ସାହାଣୀ। ଆଗାମୀ ଦିନରେ କମିଶନରେଟ ପୋଲିସ ତାଙ୍କୁ ପୁଣି ରିମାଣ୍ଡରେ ନେଇପାରେ ବୋଲି ସୂଚନା ମିଳିଛି।
ଚୌଦ୍ୱାର ଜେଲରୁ ପଳାଇବା ପରେ ରାଜା ସାହାଣୀ ୬ଟି ରାଜ୍ୟରେ ଲୁଟ୍ ଓ ଡକାୟତି କରିଥିବା ଅଭିଯୋଗ ରହିଛି। ଏହି କାରଣରୁ ସେ ଅନେକ ରାଜ୍ୟର ପୋଲିସଙ୍କ ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଥିଲା। ଜେଲରୁ ଫେରାର ପରେ କର୍ଣ୍ଣାଟକର ଏକ ଅଳଙ୍କାର ଦୋକାନରୁ ହୀରା ଓ ସୁନା ଲୁଟ୍ କରିଥିବା ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଛି। ପରେ ଓଡ଼ିଶା ପୋଲିସ ତାକୁ ଋଷିକେଶରୁ ଗିରଫ କରିଥିଲେ।
ବିହାରର ବେଗୁସରାଇ ଜିଲ୍ଲାର ରାଜା ସାହାଣୀ ଏକ ଇଣ୍ଟର-ଷ୍ଟେଟ୍ ଅପରାଧିକ ଗ୍ୟାଙ୍ଗ ସହ ଜଡ଼ିତ ଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ଲୁଟ୍, ଡକାୟତି, ହତ୍ୟା, ଅସ୍ତ୍ରଶସ୍ତ୍ର ଆଦି ମିଶି ପ୍ରାୟ ୨୮ଟି ଗୁରୁତର ମାମଲା ରହିଛି। ଗ୍ୟାଙ୍ଗଟି ବିଶେଷ କରି ନିର୍ଜନ ସ୍ଥାନରେ ଥିବା ବ୍ୟାଙ୍କ ଓ ଗହଣା ଦୋକାନକୁ ଟାର୍ଗେଟ୍ କରୁଥିଲା।
ପୋଲିସ କହିଛି, ରାଜା ସାହାଣୀ ପ୍ରାୟତଃ ନିଜର ନାମ ଓ ସ୍ଥାନ ପରିବର୍ତ୍ତନ କରି ପୋଲିସକୁ ଫାଙ୍କି ଦେଉଥିଲେ। ଏବେ ତାଙ୍କୁ ନେଇ ଅଧିକ ତଦନ୍ତ ଚାଲିଛି ଓ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି।