ଭୁବନେଶ୍ୱର: ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି। ଏପ୍ରିଲ୍ ମଧ୍ୟଭାଗକୁ ଆସିବା ସହିତ ଅଧିକାଂଶ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ସେଲସିଅସ୍ ଛୁଇଁଯାଇଛି। ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ସାଧାରଣ ଲୋକମାନଙ୍କ ସହ ପିଲାମାନଙ୍କ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ଏହି ପରିସ୍ଥିତିରେ ସ୍କୁଲ ଛୁଟି ନେଇ ବଡ଼ ସଙ୍କେତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ମନ୍ତ୍ରୀଙ୍କ କହିବା ଅନୁସାରେ, ଏବେ ତୁରନ୍ତ ସମଗ୍ର ରାଜ୍ୟରେ ଛୁଟି ଘୋଷଣା ହେବ ନାହିଁ, ବରଂ ପରିସ୍ଥିତି ଅନୁଯାୟୀ ଜିଲ୍ଲାଭିତ୍ତିକ ଭାବେ ଏହା ଉପରେ ନିଷ୍ପତି ନିଆଯିବ। ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ପଡ଼ୁଛି, ସେଠାର ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ରିପୋର୍ଟ ଦେବେ। ସେହି ରିପୋର୍ଟ ଆଧାରରେ ବିଭାଗ ସ୍କୁଲ ଛୁଟି ନେଇ ନିଷ୍ପତି ନେବ।
ବିଶେଷକରି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ତାତି ବୃଦ୍ଧି ପାଇବାରେ ଲାଗିଛି। ସେଠାରେ ପରିସ୍ଥିତି ଅଧିକ ଗମ୍ଭୀର ହେଉଥିବାରୁ ସରକାର ସତର୍କ ଅବସ୍ଥାରେ ଅଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ସର୍ବପ୍ରଥମ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଏହାସହ ରାଜ୍ୟ ଦୁର୍ଘଟଣା ପରିଚାଳନା କର୍ତ୍ତୃପକ୍ଷ (SRC) ତରଫରୁ ହିଟ୍ ୱେଭ୍ ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକାଯିବ। ସେହି ବୈଠକରେ ଜିଲ୍ଲାମାନଙ୍କ ଅବସ୍ଥା ସମୀକ୍ଷା କରାଯିବା ପରେ ମାତ୍ର ଖରା ଛୁଟି ନେଇ ଅନ୍ତିମ ନିଷ୍ପତି ହେବ।
ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଏବେ ଅପେକ୍ଷାରେ ଅଛନ୍ତି କେବେ ଆସିବ ସେହି ଘୋଷଣା? ତାତି ବଢିବା ସହିତ ସ୍କୁଲ ଛୁଟି ନେଇ ଚର୍ଚ୍ଚା ମଧ୍ୟ ତିବ୍ର ହେଉଛି। ଏବେ ସମସ୍ତଙ୍କ ଦୃଷ୍ଟି SRC ବୈଠକ ଉପରେ ରହିଛି।
ଅଧିକ ପଢନ୍ତୁ: ଏଥର ଅଙ୍ଗନବାଡ଼ି ପିଲାଙ୍କୁ ପାଠ ପଢ଼େଇବେ କଲେଜ ଛତ୍ରଛାତ୍ରୀ