ଭଦ୍ରକରେ ପୋଲିସର ଡବଲ୍ ଆକ୍ସନ୍। ଦୁଇଟି ହୋଟେଲରେ ଏକାସାଥି ଚଢାଉ କରି ବଡ଼ ସେକ୍ସ ରାକେଟକୁ ପର୍ଦାଫାସ୍ କରିଛି ପୋଲିସ। ଏହି ଅଭିଯାନରେ ୪ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିବା ବେଳେ୨ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଆଧାରରେ ରାଜଘାଟ ବ୍ରିଜ ନିକଟରେ ଥିବା ଏକ ହୋଟେଲରେ ଭଦ୍ରକ ସଦର ପୋଲିସ ଚଢାଉ କରିଥିଲା। ସେଠାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ଜଣ ଗ୍ରାହକଙ୍କୁ ଧରିଥିଲେ। ଏହା ସହିତ ଅନ୍ୟ ଏକ ଟିମ୍ ଧାମରା ଅଞ୍ଚଳର ଆଉ ଗୋଟିଏ ହୋଟେଲରେ ଚଢାଉ କରି ସମାନ ଭାବରେ ଆଉ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ ଓ ୨ଜଣ ଗ୍ରାହକଙ୍କୁ ଗିରଫ କରିଥିଲେ।
ପୋଲିସ କହିଛି, ଉଦ୍ଧାର ହୋଇଥିବା ଯୁବତୀମାନଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ସମସ୍ତ ନିୟମ ଅନୁଯାୟୀ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ପରେ ସୁରକ୍ଷିତ ଭାବେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଗିରଫ ହୋଇଥିବା ୪ଜଣଙ୍କୁ କୋର୍ଟରେ ହଜାର କରାଯିବାକୁ ଥିବା ବେଳେ, ପୋଲିସ ଏହି ରାକେଟ ପଛରେ ଥିବା ବଡ଼ ନେଟୱର୍କକୁ ଖୋଜୁଛି। ଏହା କେତେ ଦିନ ଧରି ଚାଲୁଥିଲା ଓ କେଉଁମାନେ ଏଥିରେ ଜଡିତ, ସେନେଇ ତଦନ୍ତ ଜାରି ରହିଛି। ଭଦ୍ରକରେ ଏପରି ଅବୈଧ କାରବାର ପର୍ଦାଫାସ୍ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ପୋଲିସ କହିଛି, ଆଗାମୀ ଦିନରେ ଏପରି ଅପରାଧ ଉପରେ ଆହୁରି କଠୋର ଆକ୍ସନ୍ ନିଆଯିବ।