ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଲା ଅଞ୍ଚଳରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଗୁରୁବାର ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ବଙ୍ଗାଳୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବଙ୍ଗାଳୀ ଶ୍ରମିକ ଏକ କଂପାନୀରେ ଠିକାଦାରଙ୍କ ପାଖରେ ରହି କାମ କରୁଥିବା ଜଣାଯାଇଛି। ଶ୍ରମିକ ଜଣକ ୪୫ ବର୍ଷୀୟ ସଞ୍ଜୟ ଦାସ ସେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି କୁହାଯାଉଛି। ସେ ଏଠାରେ ଜଣେ ଠିକାଦାରଙ୍କ ନିକଟରେ କାମ କରୁଥିବା ସମୟରେ ଅନ୍ୟ ଶ୍ରମିକମାନଙ୍କ ସହିତ କ୍ୟାମ୍ପରେ ରହୁଥିଲେ।
ସୂଚନା ଅନୁସାରେ, ଆଜି କାମ ସାରି ସମସ୍ତେ ଖାଇବାକୁ ଫେରିଥିବାବେଳେ ସଞ୍ଜୟ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଫେରିନଥିବାରୁ ସହକର୍ମୀମାନେ ସନ୍ଦେହ କରି ଖୋଜାଖୋଜି ଆରମ୍ଭ କରିଥିଲେ। ପୋଖରୀ ପାଖରେ ତାଙ୍କ ଚପଲ ଦେଖି ସନ୍ଦେହ ଆହୁରି ବଢ଼ିଥିଲା। ପରେ ପାଣିଭିତରକୁ ପ୍ରବେଶ କରି ଦେଖିବାବେଳେ ସେଠାରେ ସଞ୍ଜୟଙ୍କ ମୃତଦେହ ମିଳିଥିଲା।
ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଭୀମଭୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି। ଅଣଓଡ଼ିଆ ଶ୍ରମିକଙ୍କ ଏପରି ଦୁର୍ଭାଗ୍ୟଜନକ ମୃତ୍ୟୁ ନେଇ ପୁଇଁନ୍ତଲା ପୋଲିସ ତଦନ୍ତ ଆରମ୍ଭ କରିଛି। ଏହା ଦୁର୍ଘଟଣା କି ଅନ୍ୟ କିଛି, ସେନେଇ ତଦନ୍ତ ଚାଲିଛି।