କେନ୍ଦ୍ରାପଡ଼ା: ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭିତରକନିକା ଏବେ କିଛି ଦିନ ପାଇଁ ପର୍ଯ୍ୟଟକ ଲାଗି “ନୋ ଏଣ୍ଟ୍ରି”। ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ୩ ମାସେ ଯାଏଁ ଏହା ସମ୍ପୂର୍ଣ୍ଣ ବନ୍ଦ ରହିବ। ରାଜନଗର ବନ ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଏହାର ମୁଖ୍ୟ କାରଣ ହେଲା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି। ନଦୀ ଓ ନାଳମାନଙ୍କରେ କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନ ପର୍ବ ଓ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନଉପୁଜିବା ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ।
ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ହୁଏ। ବିଶେଷକରି ବଉଳ କୁମ୍ଭୀର ଦେଖିବା ଓ ମ୍ୟାଙ୍ଗ୍ରୋଭ ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏଠାକୁ ଲୋକେ ଭିଡ଼ କରନ୍ତି। କିନ୍ତୁ ଏବେ ପ୍ରକୃତି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ସ୍ଥଳ କିଛି ଦିନ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ତେଣୁ ଯଦି ଆପଣ ଭିତରକନିକା ଭ୍ରମଣ ପ୍ଲାନ୍ କରୁଛନ୍ତି, ତେବେ ଏହି ତିନି ମାସ ପାଇଁ ଯୋଜନା କରନ୍ତୁ ନାହିଁ।