ଏଥର ଅଙ୍ଗନବାଡ଼ି ପିଲାଙ୍କୁ ପାଠ ପଢ଼େଇବେ କଲେଜ ଛତ୍ରଛାତ୍ରୀ । ସମ୍ପୂର୍ଣ ବଦଳିଯିବ ଅଙ୍ଗନବାଡ଼ି କେନ୍ଦ୍ରର ଚେହେରା । କୁନି କୁନି ପିଲାଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ । ପ୍ରାରମ୍ଭିକ ଶିଶୁ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏହି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ପ୍ରତି ବିଶ୍ୱବିଦ୍ୟାଳୟ ଓ କଲେଜ ଅତିକମରେ ୫ରୁ ୬ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ଶିଶୁ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଜିସି ଜାରି କରିଛି ଏହି ନିର୍ଦ୍ଦେଶନାମା ।
ଫିଲ୍ଡ ୱାର୍କ, ସାମାଜିକ ସେବା ଏବଂ ଇଣ୍ଟର୍ନସିପରେ ଛାତ୍ରଛାତ୍ରୀଙ୍କୁ ଏହା ସହାୟକ ହେବ । ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ପରେ ନୀତି ଆୟୋଗର କାର୍ଯ୍ୟ ବିବରଣୀ ପ୍ରକାଶ ପାଇଛି । ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଲା ୟୁଜିସି । ବିଶେଷ କରି ଶିକ୍ଷା, ମନୋବିଜ୍ଞାନ, ପୋଷଣ ଏବଂ ସମାଜ ମଙ୍ଗଳ ବିଭାଗର ଛାତ୍ରଛାତ୍ରୀମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ପିଲାଙ୍କ ବିକାଶରେ ସହଯୋଗ କରିବେ । ଏହାଦ୍ୱାରା ୩ରୁ ୬ ବର୍ଷର ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ସହ ଉଚ୍ଚଶିକ୍ଷା ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପେଶାଗତ ଅନୁଭୂତି ହାସଲ କରିପାରିବେ । ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏହା କେବଳ ଶିକ୍ଷା ନୁହେଁ, ବରଂ ସମାଜ ପ୍ରତି ଛାତ୍ର ସମାଜର ଦାୟିତ୍ୱବୋଧକୁ ଆହୁରି ବୃଦ୍ଧି କରିବ ।