କଟକ: ମେଡିକାଲ୍ ପାଠପଢ଼ା ପାଇଁ MBBS ସିଟ୍ ହାସଲ କରିବାକୁ ଚେଷ୍ଟା କରୁଥିବା ଜଣେ NEET ପରୀକ୍ଷାର୍ଥୀଙ୍କୁ ବଡ଼ ଝଟକା ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ରାଜ୍ୟ ସରକାରୀ ବିଦ୍ୟାଳୟ (SGS) କୋଟା ଅଧୀନରେ MBBS ଆଡମିଶନ ଦାବି କରିଥିବା ଛାତ୍ରଙ୍କ ଆବେଦନକୁ ଖାରଜ କରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, “ଦୁଇଟି ଭିନ୍ନ ଶିକ୍ଷା ବୋର୍ଡର ସୁବିଧା ଏକାସାଙ୍ଗରେ ନିଆଯାଇପାରିବ ନାହିଁ।”
ମାମଲା ଅନୁଯାୟୀ, ସଂପୃକ୍ତ ଛାତ୍ର ୨୦୧୪ ମସିହାରେ CHSE ଅଧୀନରେ କଟକର ଏକ କଲେଜରୁ +୨ ପାସ୍ କରିଥିଲେ। ସେତେବେଳେ ତାଙ୍କର ଫିଜିକ୍ସ, କେମିଷ୍ଟ୍ରି ଓ ବାୟୋଲୋଜିର ମୋଟ ମାର୍କ ୫୦ ପ୍ରତିଶତରୁ ସାମାନ୍ୟ କମ୍ ଥିଲା। ମେଡିକାଲ୍ ଭର୍ତ୍ତି ପାଇଁ ଆବଶ୍ୟକ ଯୋଗ୍ୟତା ପୂରଣ କରିବାକୁ ସେ ୨୦୨୨ରେ NIOS ମାଧ୍ୟମରେ କେମିଷ୍ଟ୍ରି ପରୀକ୍ଷା ଦେଇ ମାର୍କ ବଢ଼ାଇଥିଲେ।
ପରେ NEET-UG 2025 ପରୀକ୍ଷାରେ ସେ ୭୨୦ରୁ ୨୬୪ ମାର୍କ ରଖିଥିଲେ। କିନ୍ତୁ MBBS ଭର୍ତ୍ତି ସମୟରେ SGS କୋଟା ଅଧୀନରେ ସିଟ୍ ଦାବି କରିବାରୁ ବିବାଦ ସୃଷ୍ଟି ହୋଇଥିଲା। କାଉନସେଲିଂ କର୍ତ୍ତୃପକ୍ଷ କହିଥିଲେ, ଯେହେତୁ ଛାତ୍ର ଯୋଗ୍ୟତା ପୂରଣ ପାଇଁ NIOS ମାର୍କ ବ୍ୟବହାର କରିଛନ୍ତି, ସେ ଆଉ କେବଳ ରାଜ୍ୟ ବୋର୍ଡର ଛାତ୍ର ଭାବେ SGS କୋଟାର ସୁବିଧା ପାଇପାରିବେ ନାହିଁ।
ଛାତ୍ରଙ୍କ ପକ୍ଷରୁ ଏହାକୁ ଅନ୍ୟାୟ ଓ ସମ୍ବିଧାନର ଧାରା-୧୪ ବିରୋଧୀ ବୋଲି ଦର୍ଶାଯାଇଥିଲା। NIOSକୁ ଜାତୀୟ ମେଡିକାଲ୍ କମିଶନ୍ ସ୍ୱୀକୃତି ଦେଇଥିବା ଯୁକ୍ତି ମଧ୍ୟ ରଖାଯାଇଥିଲା। ତଥାପି ହାଇକୋର୍ଟ କାଉନସେଲିଂ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବଜାୟ ରଖିଛନ୍ତି।
କୋର୍ଟ କହିଛନ୍ତି, SGS କୋଟା କେବଳ ସେହି ଛାତ୍ରଛାତ୍ରୀଙ୍କ ପାଇଁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରୀ ବିଦ୍ୟାଳୟ ବ୍ୟବସ୍ଥାରେ ପଢ଼ିଛନ୍ତି। ଏହି ରାୟ ଆଗାମୀ ଦିନରେ ମେଡିକାଲ୍ ଆଡମିଶନ ଓ ସଂରକ୍ଷଣ ନୀତି ସମ୍ପର୍କିତ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନଜିର ସୃଷ୍ଟି କରିବ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଇଛନ୍ତି।