ଭୁବନେଶ୍ୱର: ଓଡ଼ିଆ ଭାଷାରେ ବିଜ୍ଞାନ ଶିକ୍ଷାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ଏକ ନୂଆ ଅଭିଯାନ। ଦଶମ ଶ୍ରେଣୀ ପରେ ବିଜ୍ଞାନ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଇଂରାଜୀ ଭାଷାର ଭୟରେ ପଛକୁ ହଟୁଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଆଶାର ଆଲୋକ ନେଇ ଆସିଛି ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା (OURI)। ସଂସ୍ଥା ପ୍ରସ୍ତୁତ କରିଥିବା +୨ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ପାଠ୍ୟପୁସ୍ତକ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା ପ୍ରତି ନୂଆ ଉତ୍ସାହ ସୃଷ୍ଟି କରିଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ରାଜ୍ୟର ୭୦୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଓଡ଼ିଆରେ ରଚିତ ବିଜ୍ଞାନ ପୁସ୍ତକ ଯୋଗାଇ ଦିଆଯାଇଛି। କେବଳ ପୁସ୍ତକ ବଣ୍ଟନରେ ଏହି ପଦକ୍ଷେପ ସୀମିତ ନୁହେଁ; ଅଧ୍ୟକ୍ଷ ଓ ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜିତ ହୋଇଛି। ପ୍ରତି ଜିଲ୍ଲାରେ ଗବେଷକ ଓ ବରିଷ୍ଠ ଅଧିକାରୀମାନେ ଓଡ଼ିଆ ଭାଷାରେ ବିଜ୍ଞାନ ଶିକ୍ଷାର ଆବଶ୍ୟକତା ଓ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରୁଛନ୍ତି।
ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡ. ସୁବ୍ରତ ପୃଷ୍ଟି କହିଛନ୍ତି, +୨ ନାମଲେଖା ବେଳେ ଛାତ୍ରଛାତ୍ରୀମାନେ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିବା ଉଚିତ। କାରଣ ବର୍ତ୍ତମାନ ଓଡ଼ିଆରେ ଗୁଣାତ୍ମକ ପାଠ୍ୟପୁସ୍ତକ ଉପଲବ୍ଧ ହୋଇଥିବାରୁ ବିଜ୍ଞାନ ପଢ଼ିବା ଅଧିକ ସହଜ ହୋଇପାରିବ।
ଶିକ୍ଷାବିତଙ୍କ ମତରେ, ନିଟ୍ ଓ ଜେଇଇ ପରୀକ୍ଷାର ପ୍ରଶ୍ନପତ୍ର ଓଡ଼ିଆରେ ଉପଲବ୍ଧ ହେଉଥିବାରୁ ଓଡ଼ିଆ ମାଧ୍ୟମରେ ବିଜ୍ଞାନ ପଢୁଥିବା ଛାତ୍ରଛାତ୍ରୀମାନେ ଡାକ୍ତର ଓ ଇଞ୍ଜିନିୟର ହେବାର ସ୍ୱପ୍ନକୁ ସହଜରେ ସାକାର କରିପାରିବେ।
ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ପ୍ରାୟ ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀ ଓଡ଼ିଆ ମାଧ୍ୟମରେ ଦଶମ ଶ୍ରେଣୀ ପାସ୍ କରୁଥିବାବେଳେ ଇଂରାଜୀ ଭୟ କାରଣରୁ +୨ ବିଜ୍ଞାନର ପ୍ରାୟ ୮୦ ହଜାର ଆସନ ଖାଲି ରହୁଛି। ଏହି ଭୟକୁ ଦୂର କରି ବିଜ୍ଞାନ ଶିକ୍ଷାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଆରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଏହାକୁ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି, ଯାହା ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିର ନୂଆ ଦିଗ ଦେଖାଇବ।