ମୁମ୍ବାଇ ଇଂଡିଆନ୍ସର ଓପନର ରୋହିତ ଶର୍ମା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ଜଙ୍ଘର ମାଂସପେଶୀ ଟାଣି ହେବା କାରଣରୁ ଅଧା ବ୍ୟାଟିଂରୁ ପ୍ୟାଭିଲିଅନ ଫେରିଯାଇଥିଲେ । ପାଞ୍ଚ ଥର ଚମ୍ପିୟାନ ହୋଇଥିବା ମୁମ୍ବାଇ ପୂର୍ବ ବର୍ଷର ରନର-ଅପ ଟିମ ସହ ଗୁରୁବାର ମୁହାଁମୁହିଁ ହେବାକୁ ଯାଉଛି । ଲଗାତାର ୩ ଟି ମ୍ୟାଚରେ ପରାଜୟ ପରେ ଫ୍ୟାନ୍ସଙ୍କ ଚିନ୍ତା ବଢିଛି, କାରଣ ଦଳର ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ଗୁରୁବାର ମ୍ୟାଚ ନଖେଳିପାରନ୍ତି ।
ଚଳିତ ସିଜିନର ପ୍ରଥମ ମ୍ୟାଚ ଜିତିବା ପରେ ଦଳ ନିଜର ଲୟ ହରାଇଛି । ବୋଲିଂ ୟୁନିଟ ଫେଲ ମାରିଥିବାବେଳେ ମୁମ୍ବାଇ ବର୍ତ୍ତମାନ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ସମୁଦାୟ ଚାରୋଟି ମ୍ୟାଚ ଖେଳିଥିବାବେଳେ ୩ ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ଗୁରୁବାର ରୋହିତ ନଖେଳିଲେ ରାୟନ ରିକଲଟନଙ୍କ ସହ ଓପନିଂ କରିବାକୁ କିଏ ପଡିଆକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କ ନଜର । ନମନ ଧୀର ଭଲ ଫର୍ମରେ ଅଛନ୍ତି, ତେଣୁ ରୋହିତଙ୍କ ସ୍ଥାନରେ ନମନଙ୍କୁ ଓପନିଂ କରାଇ ରବୀନ ମିଞ୍ଜଙ୍କୁ ଫିନିସର ଭାବେ ଖେଳାଇପାରିବ ମୁମ୍ବାଇ । ଯଦି ସେଭଳି ନହୁଏ ତେବେ ସୂର୍ଯ୍ୟକୁମାର ଯାଦବ ଓପନିଂ କରିବେ ଓ ତାଙ୍କ ସ୍ଥାନରେ ହାର୍ଦ୍ଦିକ ବ୍ୟାଟିଂ କରିବାକୁ ଆସିପାରିବେ ।
ଯଦି ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ କ୍ୱିନଟନ ଡିକକ୍ ଙ୍କୁ ଖେଳାଏ ତେବେ ଜଣେ ବିଦେଶୀ ବୋଲର ବୋଲ୍ଟ କିମ୍ବା ସ୍ୟାଣ୍ଟନରଙ୍କୁ ବିଶ୍ରାମ ଦେବାକୁ ପଡିବ । ପୂର୍ବରୁ ଡିକକ ମୁମ୍ବାଇ ପାଇଁ ଓପନ କରିସାରିଛନ୍ତି, ତେଣୁ ମୁମ୍ବାଇ ଡିକକ୍ ଙ୍କୁ ଖେଳାଇ ବାମ ହାତୀ ଭାରତୀୟ ଦ୍ରୁତ ବୋଲର ଅଶ୍ୱିନୀ କୁମାରଙ୍କୁ ସୁଯୋଗ ଦେଇପାରେ । ତେଣୁ ଆଜିର ମ୍ୟାଚର ମୁମ୍ବାଇର ପ୍ଲେଇଂ ୧୧ କିଭଳି ଚୟନ କରିବେ ଅଧିନାୟକ ହାର୍ଦ୍ଦିକ ତାହା ଉପରେ ସମସ୍ତଙ୍କ ନଜର ।