ଚଳିତ ସିଜିନରେ ମୁମ୍ବାଇ ଗୋଟିଏ ପରେ ଗୋଟିଏ ମ୍ୟାଚରେ ପରାଜୟର ସାମ୍ନା କରୁଛି । ଗୁରୁବାର ମୁମ୍ବାଇ, ପଞ୍ଜାବ ଠାରୁ ପରାସ୍ତ ହୋଇଥିଲେ ମଧ୍ୟ କ୍ୱିଣ୍ଟନ୍ ଡିକକ୍ ଶତକ ହାସଲ କରିଛନ୍ତି । ଦଳର ପରାଜୟ ସତ୍ୱେ କ୍ୱିଣ୍ଟନ୍ ଡିକକ୍ ଙ୍କ ଶତକକୁ ମୁମ୍ବାଇ ଫ୍ୟାନ୍ସ ପ୍ରଶଂସା କରୁଛନ୍ତି । ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କୁ ଏହି ସିଜିନର ପ୍ରଥମ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ସୁଯୋଗକୁ ହାତଛଡା ନକରି ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରିଥିଲେ । ୬୦ ବଲରେ ୧୧୨ ରନ ସଂଗ୍ରହ କରିଥିଲେ କ୍ୱିଣ୍ଟନ୍ ଡିକକ୍, ଯେଉଁଥିରେ ୮ ଟି ଚୌକା ଓ ୭ ଟି ଛକା ସାମିଲ ଥିଲା ।
ପୂର୍ବରୁ ମୁମ୍ବାଇ ପାଇଁ ରିକଲଟନ ଓ ରୋହିତ ଇନିଂସ ଓପନ କରୁଥିଲେ । ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ରୋହିତଙ୍କ ଜଙ୍ଘର ମାଂସପେଶୀ ଟାଣି ହେବା କାରଣରୁ ସେ ପଡ଼ିଆରୁ ବାହାରକୁ ଯାଇଥିଲେ ଓ ପଞ୍ଜାବ ବିପକ୍ଷ ମ୍ୟାଚ ମଧ୍ୟ ଖେଳିନଥିଲେ । ମୁମ୍ବାଇ ଅନ୍ୟ କୌଣସି ଓପନିଂ ବିକଳ୍ପ ଦେଖିବା ପରିବର୍ତ୍ତେ ପୂର୍ବରୁ ମୁମ୍ବାଇ ପାଇଁ ଓପନ କରିସାରିଥିବା କ୍ୱିଣ୍ଟନ୍ ଡିକକ୍ ଙ୍କ ଉପରେ ଭରସା ଦେଖାଇଥିଲା । କ୍ୱିଣ୍ଟନ୍ ଡିକକ୍ ମଧ୍ୟ ପୂର୍ବଭଳି ବ୍ୟାଟିଂ କରିବା ସହ ଶତକ ହାସଲ କରିଥିଲେ ।
୨୦୧୯ ଓ ୨୦୨୦ ରେ ମୁମ୍ବାଇ ଚାମ୍ପିଅନ ହେବା ପଛରେ ଡିକକ୍ ଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୧୯ ରେ ସେ ମୁମ୍ବାଇ ପାଇଁ ୫୨୯ ରନ ସଂଗ୍ରହ କରିଥିଲେ ଓ ୨୦୨୦ ରେ ୫୦୩ ରନ ସଂଗ୍ରହ କରିଥିଲେ । ୨୦୨୧ ରେ ମଧ୍ୟ ସେ ମୁମ୍ବାଇ ପାଇଁ ଖେଳିଥିଲେ ଓ ୨୯୭ ରନ ସଂଗ୍ରହ କରିଥିଲେ । ଏହାପରେ ୨୦୨୬ ରେ ତାଙ୍କୁ ମୁମ୍ବାଇ ପଞ୍ଚମ ମ୍ୟାଚରେ ଖେଳାଇଲା ଓ ଏହି ମ୍ୟାଚରେ ଅପରାଜିତ ରହି ଶତକ ହାସଲ କରିଛନ୍ତି ଡିକକ୍ ।
ତେବେ ରୋହିତ ଶର୍ମା ଫିଟ ହେଲେ ମୁମ୍ବାଇ କାହାକୁ ଦଳରୁ ବାଦ ଦେବ ଓ କିଏ କେଉଁ ସ୍ଥାନରେ ଖେଳିବେ ତାହା ଦେଖିବା ବେଶ ରୋଚକ ହେବ ।