ପଞ୍ଜାବର ଶିଳ୍ପ ମନ୍ତ୍ରୀ ତଥା ଜଣେ ବଡ଼ ବ୍ୟବସାୟୀ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଚଢ଼ାଉ କରିଛି । ଅଧିକାରୀମାନେ କହିଛନ୍ତି ଯେ, ଶୁକ୍ରବାର ଦିନ ଏକ ତଦନ୍ତ ସିଲସିଲାରେ ଅରୋରାଙ୍କ ବ୍ୟତୀତ ତାଙ୍କର ନିକଟତର ଏବଂ ବ୍ୟବସାୟୀ ସହଯୋଗୀଙ୍କ ଠିକଣାରେ ଇଡି ତନାଘନା ଚଳାଇଛି । ତାଙ୍କର ମୋଟ ୧୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ସେ ସରକାରୀ କାର୍ଯ୍ୟରେ ବିଦେଶ ଯାତ୍ରାରେ ଥିବା କୁହାଯାଉଛି ।
ଲୁଧିଆନାରେ ଇଡି ଟିମ୍ ଆଜି ଶୁକ୍ରବାର ସକାଳେ ତାଙ୍କ ବାସଭବନରେ ପହଞ୍ଚିଥିଲା ଏବଂ ସୁରକ୍ଷା ପାଇଁ ବାହାରେ କେନ୍ଦ୍ରୀୟ ପୋଲିସ ବଳଙ୍କୁ ମୁତୟନ କରାଯାଇଛି । ସୂତ୍ର ଅନୁଯାୟୀ, ମନି ଲଣ୍ଡରିଂ ସହ ଜଡ଼ିତ ଏକ ପୁରୁଣା ମାମଲା ଏବଂ ଜମି କାରବାରରେ ହୋଇଥିବା କଥିତ ଅନିୟମିତତାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । FEMA ଅଧୀନରେ ଗୁରୁଗ୍ରାମ, ଚଣ୍ଡିଗଡ଼, ଲୁଧିଆନା ଏବଂ ଜାଲନ୍ଧରରେ ମୋଟ ୧୩ଟି ସ୍ଥାନରେ ଚଢ଼ାଉ କରାଯାଇଛି ।
ଶିଳ୍ପପତି ଅରୋରାଙ୍କ ଉପରେ କି କି ଅଭିଯୋଗ ରହିଛି?
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଞ୍ଜୀବ ଅରୋରାଙ୍କ ବାସଭବନ ଓ କାର୍ଯ୍ୟାଳୟ ସହିତ ବ୍ୟବସାୟୀ ହେମନ୍ତ ସୁଦ ଏବଂ ଚନ୍ଦ୍ରଶେଖର ଅଗ୍ରୱାଲଙ୍କ ଠିକଣାରେ ମଧ୍ୟ ତଲାସି ନେଇଛି । ଲୁଧିଆନାରେ ‘ଫାଇଣ୍ଡୋକ ଫିନଭେଷ୍ଟ’ର ହେମନ୍ତ ସୁଦ ଏବଂ ଜାଲନ୍ଧରରେ କଥିତ ବୁକି ଚନ୍ଦ୍ରଶେଖର ଅଗ୍ରୱାଲଙ୍କ ଆବାସିକ ଓ ଆଧିକାରିକ ପରିସରକୁ ଏହି ତଲାସି ଅଭିଯାନରେ ସାମିଲ କରାଯାଇଛି ।
ଇଡି ଅନୁଯାୟୀ, ସଞ୍ଜୀବ ଅରୋରାଙ୍କ କମ୍ପାନୀ 'ହ୍ୟାମ୍ପଟନ ସ୍କାଇ ରିଅଲଟି ଲିମିଟେଡ' ଉପରେ ଜମି ବ୍ୟବହାରରେ ଅନିୟମିତତା, ଶେୟାର ବଜାରରେ ହେରଫେର, ହାୱାଲା ଏବଂ ଦୁବାଇରୁ ଭାରତକୁ ଟଙ୍କା ଆଣିବା ଭଳି ଅଭିଯୋଗ ରହିଛି । କେବଳ ସେତିକି ନୁହେଁ, କମ୍ପାନୀର ଏମଡି ଏବଂ ତାଙ୍କ ପୁଅ କାବ୍ୟ ଅରୋରାଙ୍କ ଠିକଣା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି । ତଦନ୍ତକାରୀ ସଂସ୍ଥାର ଦାବି ଅନୁଯାୟୀ, ଅବୈଧ ସଟ୍ଟାବାଜି ଏବଂ ହାୱାଲା ସହ ଜଡ଼ିତ ଟଙ୍କାକୁ ରିଅଲ ଇଷ୍ଟେଟରେ ଲଗାଯାଇଛି । ବର୍ତ୍ତମାନ ଇଡି ଦସ୍ତାବିଜ୍ ଏବଂ ବ୍ୟାଙ୍କ ରେକର୍ଡ ଯାଞ୍ଚ କରୁଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ସ୍ପଷ୍ଟ ହୋଇନାହିଁ ।
ତଦନ୍ତକାରୀ ସଂସ୍ଥାର ଟିମ୍କୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ଯବାନମାନେ ସୁରକ୍ଷା ପ୍ରଦାନ କରିଛନ୍ତି । ଇଡି ୨୦୨୪ ମସିହାରେ ମଧ୍ୟ ତାଙ୍କ ଠିକଣାରେ ଚଢ଼ାଉ କରିଥିଲା ।
୨୦୨୪ ଚଢ଼ାଉରେ ମିଳିଥିଲା ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍
ଏଜେନ୍ସି ସେ ସମୟରେ ଏକ ବିବୃତ୍ତିରେ କହିଥିଲା ଯେ, ଅରୋରା ଏବଂ ଅନ୍ୟ କିଛି ସଂସ୍ଥା ସହ ଜଡ଼ିତ କମ୍ପାନୀଗୁଡ଼ିକ ଶିଳ୍ପ ଭିତ୍ତିକ ଜମିକୁ କଥିତ ଭାବେ ଆବାସିକ ପ୍ରକଳ୍ପ ପାଇଁ ଅପବ୍ୟବହାର କରି ରାଜ୍ୟ ସରକାରଙ୍କୁ "କ୍ଷତି" ପହଞ୍ଚାଇଛନ୍ତି ଏବଂ ଅପରାଧରୁ "ବିପୁଳ" ରୋଜଗାର କରିଛନ୍ତି । କିଛି ଦିନ ପୂର୍ବରୁ, ଇଡି ଆପ୍ (AAP) ରାଜ୍ୟସଭା ସାଂସଦ ଅଶୋକ କୁମାର ମିତ୍ତଲ ଏବଂ ପଞ୍ଜାବ ଓ ହରିୟାଣାରେ ତାଙ୍କ ଶିକ୍ଷାନୁଷ୍ଠାନ ପରିସରରେ FEMA ଅଧୀନରେ ତଲାସି ଅଭିଯାନ ଚଳାଇଥିଲା ।
ପଞ୍ଜାବରେ ଜମି ସହ ଜଡ଼ିତ ଏକ ବଡ଼ ଦୁର୍ନୀତିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୭ ଅକ୍ଟୋବର ୨୦୨୪ରେ ଏଜେନ୍ସିର ଜାଲନ୍ଧର ଟିମ୍ ଲୁଧିଆନା, ଜାଲନ୍ଧର, ଚଣ୍ଡିଗଡ଼ ସହିତ ଦିଲ୍ଲୀ ଏବଂ ଗୁରୁଗ୍ରାମରେ ମୋଟ ୧୭ଟି ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ Hampton Sky Reality (ପୂର୍ବରୁ Ritesh Properties Industries Limited) ଏବଂ Royal Industries Limited ସହ ଜଡ଼ିତ ଠିକଣାରେ କରାଯାଇଥିଲା । ଏହି ସମୟରେ ଏଜେନ୍ସିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍, ମୋବାଇଲ୍ ଫୋନ୍ ଏବଂ ଡିଜିଟାଲ୍ ପ୍ରମାଣ ମିଳିଥିଲା, ଯାହାକୁ ଜବତ କରାଯାଇଥିଲା ।
ଲୁଧିଆନାରେ FIR ଆଧାରରେ ଆରମ୍ଭ ହେଲା ତଦନ୍ତ
ତଦନ୍ତର ଆରମ୍ଭ ଲୁଧିଆନା କୋର୍ଟରେ ଦାୟର ଏକ ଅପରାଧିକ ଅଭିଯୋଗ ଏବଂ ଲୁଧିଆନା ପୋଲିସର FIR ଆଧାରରେ କରାଯାଇଥିଲା । ତଦନ୍ତରୁ ଜଣାପଡିଛି ଯେ, ପଞ୍ଜାବ ସରକାର ଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି କମ୍ପାନୀଗୁଡ଼ିକୁ କିଛି ସର୍ତ୍ତ ସହିତ ଶିଳ୍ପ ଜମି ପ୍ରଦାନ କରିଥିଲେ, କିନ୍ତୁ Royal Industries Limited ଏହି ସର୍ତ୍ତଗୁଡ଼ିକୁ ଉଲ୍ଲଂଘନ କରି ଜମିକୁ ଭୁଲ୍ ଉପାୟରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ସେହିପରି Hampton Sky Reality ଉପରେ ଅଭିଯୋଗ ହୋଇଛି ଯେ, ସେ ସରକାରଙ୍କ ବିନା ଅନୁମତିରେ ଜମିର ବ୍ୟବହାର ବଦଳାଇ ଦେଇଛନ୍ତି ଏବଂ ପରେ ସେହି ଜମିରେ ଆବାସିକ ପ୍ରକଳ୍ପ ଓ ବିଜନେସ୍ ପାର୍କ ନିର୍ମାଣ କରିଛନ୍ତି । କେବଳ ସେତିକି ନୁହେଁ, ପ୍ରକଳ୍ପର ମଞ୍ଜୁରୀ ନେବା ସମୟରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଯାଇଛି । ଇଡି ଅନୁଯାୟୀ, ଏହି ଅନିୟମିତତା ଯୋଗୁଁ ପଞ୍ଜାବ ସରକାରଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି ଏବଂ କମ୍ପାନୀଗୁଡ଼ିକ ଏଥିରୁ କୋଟି କୋଟି ଟଙ୍କାର ଅବୈଧ ରୋଜଗାର କରିଛନ୍ତି ।