ମୁୁମ୍ବାଇ: ଆଇପିଏଲ୍ ୨୦୨୬ରେ ଖରାପ ପ୍ରଦର୍ଶନ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ବହୁତ ବଡ ଝଟକା । ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ପରବର୍ତ୍ତୀ ମ୍ୟାଚ୍ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି । ଗତ ମ୍ୟାଚରେ ହିଟମ୍ୟାନ ଆହତ ହୋଇଥିଲେ । ଆରସିବି ବିପକ୍ଷରେ ୧୯ ରନ କରି ବ୍ୟାଟିଂ କରିବା ବେଳେ ତାଙ୍କର ଜଂଘ ମାଂସପେଶୀ ଟାଣି ଧରିଥିଲା । ଏହା ପରେ ସେ ରିଟାୟର୍ଡ ହଟ୍ ହୋଇଥିଲେ ।
ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ରୋହିତଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ରୋହିତ ଶର୍ମାଙ୍କୁ କେତେ ଗମ୍ଭୀର ଆଘାତ ଲାଗିଛି, ତାହା ଏ ପର୍ଯ୍ୟନ୍ତ ବି ଜଣା ପଡିନି । କିନ୍ତୁ ତାଙ୍କୁ ଆସନ୍ତା ମ୍ୟାଚରେ ବିଶ୍ରାମ ଦିଆଯିବାର ଅଧିକ ସମ୍ଭାବନା ରହିଛି ।
ରୋହିତଙ୍କ ଆଘାତ କେତେ ଗମ୍ଭୀର
ଉଲ୍ଳେଖନୀୟ ରୋହିତ ଶର୍ମାଙ୍କୁ ହାର୍ମଷ୍ଟ୍ରିଙ୍ଗ ଆଘାତ ଲାଗିବା ନିଶ୍ଚିତ ଭାବେ ନିରାଶଜନକ ଖବର । ପୂରା କ୍ୟାରିୟରରେ ରୋହିତ ଏହି ଆଘାତ ପାଇଁ ସମସ୍ୟା ଭୋଗି ଆସିଛନ୍ତି । ଯେବେ ବି ତାଙ୍କୁ ଏହିପରି ଆଘାତ ଲାଗିଛି ଏଥିରୁ ସୁସ୍ଥ ହେବା ପାଇଁ ରୋହିତଙ୍କୁ ସମୟ ଲାଗିଛି । ଯଦି ଆଘାତ ଗମ୍ଭୀର ଥାଏ ତେବେ ରୋହିତ ଚଳିତ ସିଜିନରେ ଅନେକ ମ୍ୟାଚରୁ ବାଦ୍ ପଡି ପାରନ୍ତି । ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଭ୍ୟାସ ସେସନରେ ମଧ୍ୟ ଯୋଗ ଦେଇ ନାହାନ୍ତି ।
ଏଥିରୁ ସଙ୍କେତ ମିଳୁଛି ଯେ, ରୋହିତ ପରବର୍ତ୍ତୀ ମ୍ୟାଚ୍ ଖେଳିବେ ନାହିଁ । ତାଙ୍କୁ ବିଶ୍ରାମ ଦିଆଯିବାର ଅଧିକ ସମ୍ଭାବନା ରହିଛି । ଯଦି ରୋହିତ ବାହାରେ ବସନ୍ତି ତେବେ ତାଙ୍କ ସ୍ଥାନରେ କିଏ ଓପନିଂ କରିବ ତାହା ଏକ ବଡ ପ୍ରଶ୍ନ । ମୁମ୍ବାଇ ପାଖରେ ଦାନିଶ ମାଲେୱାରଙ୍କ ପରି ପ୍ରତିଭାଶାଳୀ ବ୍ୟାଟର ଅଛନ୍ତି ।