ନ୍ୟୁଚଣ୍ଡିଗଡ: ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସର ଚଳିତ ଆଇପିଏଲ ସିଜିନରେ ବିଜୟ ଯାତ୍ରା ଅବ୍ୟାହତ ରହିଛି । ଦଳ ରବିବାର ଖେଳା ଯାଇଥିବା ଡବଲ ହେଡରର ଦ୍ୱିତୀୟ ମ୍ୟାଚ୍ ତଥା ହାଇସ୍କୋରିଂ ମୁକାବିଲାରେ ଲଖନଉ ସୁପର ଜାଏଣ୍ଟସକୁ ୫୪ ରନରେ ହରାଇଛି । ଏହି ସହଜ ବିଜୟ ସହ ପଞ୍ଜାବ କିଙ୍ଗ୍ସ ୫ ବିଜୟ ସହ ଅଙ୍କ ତାଲିକାର ଶୀର୍ଷରେ ନିଜର ସ୍ଥାନ ଆହୁରି ମଜବୁତ କରିଛି । ଅନ୍ୟପଟେ ଏଲଏସଜି ଚତୁର୍ଥ ପରାଜୟ ଭୋଗିଛି ।
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରିୟାଂଶ ଆର୍ଯ୍ୟଙ୍କ ୯୩ ରନ ଓ କୁପର କଲୋନୀଙ୍କ ୮୭ ରନ ବଳରେ ୭ ୱିକେଟ୍ ହରାଇ ୨୫୪ ରନର ପାହାଡ ଛିଡା କରିଥିଲା । ଜବାବରେ ଲଖନଉ ୫ ୱିକେଟ ହରାଇ ୨୦୦ ରନ କରି ପାରିଥିଲା । ପ୍ରାୟ ସମସ୍ତ ବ୍ୟାଟର ଭଲ ବ୍ୟାଟିଂ କରିଥିଲେ ହେଁ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ ।
୨୫୫ ରନର ବିଜୟ ଲକ୍ଷ୍ୟ ପିଛା କରିବା ସମୟରେ ଲଖନଉର ଦୁଇ ଓପନର ଦଳକୁ ମଜବୁତ ଆରମ୍ଭ ଦେଇଥିଲେ । ମିଚେଲ୍ ମାର୍ଶ ଓ ଆୟୁଷ ବାଦୋନି ପ୍ରଥମ ୬ ଓଭରରେ ୬୧ ରନ ଯୋଡିଥିଲେ । ହେଲେ ପରେ ବାଦୋନି ୩୫ ରନ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ମିଚେଲ୍ ମାର୍ଶ ୪୦ ରନର ଇନିଂସ ଖେଳିଥିଲେ । ଅଧିନାୟକ ଋଷଭ ପନ୍ତ ଆଜି ଫର୍ମରେ ନଜର ଆସିଥିଲେ । ୨୩ ବଲରୁ ୧ ଚୌକା ଓ ୪ ଛକା ସହ ୪୩ ରନ କରିଥିଲେ । ହେଲେ ଏହାକୁ ସେ ବଡ ଇନିଂସରେ ପରିଣତ କରି ପାରି ନ ଥିଲେ ।
ନିକୋଲାସ ପୂରନ ନିଜର ଖରାପ ଫର୍ମ ବଜାୟ ରଖି ଦଳକୁ ନିରାଶ କରିଥିଲେ । ଆଡନ ମାରକ୍ରମ ୨୨ ବଲରୁ ୪୨ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ । ମୁକୁଲ ଚୌଧୁରୀ ୨୧ ରନ କରି ଅପରାଜିତ ଥିଲେ । ଶେଷରେ ଲଖନଉ ୫ ୱିକେଟ ହରାଇ ୨୦୦ ରନ କରି ପାରିଥିଲା । ବୋଲିଂରେ ମାର୍କୋ ଜନସେନ ୩୭ ରନ ଦେଇ ୨ଟି ୱିକେଟ ନେଇଥିଲେ । ଏହା ପୂର୍ବରୁ ପଞ୍ଜାବ ପ୍ରିୟାଂଶ ଆର୍ଯ୍ୟଙ୍କ ବିସ୍ଫୋରକ ୯୩ ରନ ଓ କୁପର କଲୋନୀଙ୍କ ୮୭ ରନ ବଳରେ ୭ ୱିକେଟ୍ ହରାଇ ୨୫୪ ରନର ପାହାଡ ଛିଡା କରିଥିଲା ।