ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ ଏବେ ଆହୁରି ଜଟିଳ ହେବାରେ ଲାଗିଛି । ଆମେରିକା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ହୋଇ ସାରିଛି, ମାତ୍ର ଇରାନ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି । ଇରାନର ସରକାରୀ ମିଡିଆ ଅନୁଯାୟୀ, ଇରାନର ପ୍ରତିନିଧି ଏହି ବାର୍ତ୍ତାରେ ସାମିଲ୍ ହେବେ ନାହିଁ । ଉଲ୍ଲେଖନୀୟ ଆମେରିକା ଓ ଇରାନ ମଧ୍ୟରେ ଏହି ଶାନ୍ତି ଆଲୋଚନା ଇସଲାମାବାଦରେ ଆୟୋଜିତ ହେବାର ଥିଲା । ପାକିସ୍ତାନ ମଧ୍ୟ ଏ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା । ହ୍ୱାଇଟ୍ ହାଉସ ଅନୁସାରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଥିଲେ ।
ତେହରାନ ପକ୍ଷରୁ କୁହାଯାଇଛି ଯେ, ଆମେରିକା ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ବାର୍ତ୍ତାରେ ତାଙ୍କ ଦେଶ ସାମିଲ୍ ହେବ ନାହିଁ । ଏହା ପଛର ସବୁଠୁ ବଡ କାରଣ ଆମେରିକାର ଅତ୍ୟଧିକ ଦାବି, ଅବାସ୍ତବିକ ଆଶା ରଖିବା, ପ୍ରସଙ୍ଗରେ ବିରୋଧାଭାସ ଓ ହର୍ମୁଜରେ ଅବରୋଧ ଜାରି ରଖିବା । ଇରାନ ଏସବୁ କଥାକୁ ଅସ୍ତ୍ରବିରତିର ଖୋଲାଖୋଲି ଉଲ୍ଲଂଘନ ବୋଲି ମାନୁଛି । ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଟ୍ରମ୍ପଙ୍କ ପ୍ରତିନିଧିମଣ୍ଡଳ ପାକିସ୍ତାନ ପହଞ୍ଚୁଛନ୍ତି । ସେଥିପାଇଁ ପାକିସ୍ତାନ ପକ୍ଷରୁ ଇସଲାମାବାଦରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଇରାନ ସ୍ପଷ୍ଟ କରିଛି ଯେ ଆଲୋଚନା ପାଇଁ ଇସଲାମାବାଦକୁ ପ୍ରତିନିଧିମଣ୍ଡଳ ପଠାଇବା ନେଇ କୌଣସି ନିଷ୍ପତ୍ତି ନେଇନାହିଁ। ଇରାନ ଦ୍ୱାରା ହର୍ମୁଜ୍ ପ୍ରଣାଳୀ ବନ୍ଦ କରାଯିବାର ଜବାବରେ, ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ବାହାରେ ଇରାନୀ ଜାହାଜ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ଏବଂ ସେଠାରେ ନିଜର ଯୁଦ୍ଧଜାହାଜ ମୁତୟନ କରିଛନ୍ତି। ଇରାନ ସର୍ତ୍ତ ରଖିଛି ଯେ ଇରାନୀ ଜାହାଜ ଉପରେ ଆମେରିକାର ନୌସେନା ଅବରୋଧ ହଟା ନଯିବା ପର୍ଯ୍ୟନ୍ତ ସେ ଆମେରିକା ସହିତ ଆଲୋଚନା ପାଇଁ କୌଣସି ଦଳ ପଠାଇବ ନାହିଁ।
ଆଲୋଚନାରେ ବ୍ରେକ
ପ୍ରଥମ ପର୍ଯ୍ୟାୟ ଆଲୋଚନା ସମାପ୍ତ ହେବା ପରେ, ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ମାଧ୍ୟମରେ ଇରାନ ଏବଂ ଆମେରିକା ମଧ୍ୟରେ ବାର୍ତ୍ତା ଆଦାନପ୍ରଦାନ ହୋଇଛି। ଏହି ବାର୍ତ୍ତା ଆଦାନପ୍ରଦାନ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାର ପ୍ରାରମ୍ଭର ଏକ ଅଂଶ ଥିଲା। ପାକିସ୍ତାନ ଦୁଇ ଦେଶକୁ ପୁଣି ଥରେ ଆଲୋଚନା ଟେବୁଲକୁ ଆଣିବାକୁ ଚେଷ୍ଟା କରୁଛି। ହେଲେ ଇରାନର ଆଭିମୁଖ୍ୟ ଏବେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାର ପ୍ରୟାସ ଉପରେ ବଡ ଝଟକା ଲାଗିଛି । ବିଶେଷ କରି ପାକିସ୍ତାନ ଯେଉଁଭଳି ଭାବେ ମଧ୍ୟସ୍ଥତା ଭୂମିକା ନିର୍ବାହ କରି ଆସିଛି, ଏହାର ଫଳାଫଳ ଶୂନ ରହିଛି ।