ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ କାରଣରୁ ଦୀର୍ଘ ସମୟ ଧରି ହର୍ମୁଜ ପ୍ରଣାଳୀ ବନ୍ଦ ରହିଥିଲା। ବଡ଼ କୂଟନୈତିକ ସଫଳତାକ୍ରମେ ଶୁକ୍ରବାର ତେହରାନ ହର୍ମୁଜ ପ୍ରଣାଳୀ ବାଣିଜ୍ୟିକ କାରବାର ପାଇଁ ସଂପୂର୍ଣ୍ଣ ଖୋଲିଥିବା ଘୋଷଣା କରିଥିଲା। ଏହା ସମଗ୍ର ବିଶ୍ଵକୁ ଆଶ୍ଵସ୍ତି କରିଥିଲା। ଏପରିକି ଅଶୋଧିତ ତୈଳ ଦର ୧୦ ପ୍ରତିଶତ ହ୍ରାସ ପାଇଥିଲା। ହେଲେ ଇରାନ ପୁଣି ଥରେ ଝଟକା ଦେଇଛି। ଶନିବାର ଆମେରିକା ଉପରେ ଅସ୍ତ୍ରବିରତି ଉଲ୍ଲଂଘନର ଅଭିଯୋଗ ଲଗାଇ ପୁଣି ଥରେ ହର୍ମୁଜ ବନ୍ଦ କରି ଦେଇଛି।
ଇରାନ କହିଛି ଯେ ପର୍ଯ୍ୟନ୍ତ ଆମେରିକାର ଅବରୋଧ ଜାରି ରହିଛି ସେପର୍ଯ୍ୟନ୍ତ ଇରାନ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲିବ ନାହିଁ । ଆମେରିକାର କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ଏହି ପଦକ୍ଷେପ ନିଆଯାଇଛି। ଇରାନର ମିଳିତ ସୈନ୍ୟ କମାଣ୍ଡ କହିଛି ଯେ, ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ପୁଣି ଥରେ ପୂର୍ବ ସ୍ଥିତିକୁ ଫେରି ଆସିଛି। ବର୍ତ୍ତମାନ ଏହା ସଶସ୍ତ୍ର ବଳର ନିୟନ୍ତ୍ରଣରେ ରହିବ। ଇରାନ ଚେତାବନୀ ଦେଇଛି ଯେ, ଯେ ପର୍ଯ୍ୟନ୍ତ ଇରାନର ବନ୍ଦର ଅଞ୍ଚଳରେ ଆମେରିକାର ଅବରୋଧ ଜାରି ରହିବ ସେ ପର୍ଯ୍ୟନ୍ତ ଏହି ପ୍ରମୁଖ ଜଳମାର୍ଗରେ ଅବରୋଧ ଜାରି ରହିବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ତା'ର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତିନାମାରେ ପହଞ୍ଚିବା ପର୍ଯ୍ୟନ୍ତ ଆମେରିକାର ଅବରୋଧ ଜାରି ରହିବ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଯଦି ଇରାନ ସହ ଚୁକ୍ତି ନ ହୁଏ, ତେବେ ଆମେରିକା ଆଉ ଏକ ଆକ୍ରମଣ କରି ଇରାନର ୟୁରାନିୟମ ଭଣ୍ଡାର ହାସଲ କରିବାକୁ ଚେଷ୍ଟା କରିପାରେ।
ଇରାନର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନାକୁ ପ୍ରତ୍ୟାଖ୍ୟାନ
ଇରାନର IRGC ସହିତ ଜଡିତ ଗଣମାଧ୍ୟମ ଅନୁଯାୟୀ, ଇରାନ ଆମେରିକା ସହିତ ଆଉ ଏକ ପର୍ଯ୍ୟାୟ ଶାନ୍ତି ଆଲୋଚନା କରିବାକୁ ମନା କରିଦେଇଛି। ଇରାନ ଅଦ୍ୟାବଧି ଆମେରିକା ସହିତ ଆଉ ଏକ ପର୍ଯ୍ୟାୟ ଆଲୋଚନା ପାଇଁ ରାଜି ହୋଇନାହିଁ। ରିପୋର୍ଟ ଅନୁଯାୟୀ, ତେହେରାନ ଜଣେ ପାକିସ୍ତାନୀ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକୀୟ ଅଧିକାରୀମାନଙ୍କୁ ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଇ ଦେଇଛି। ଏବେ ପୁଣି ଥରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିବାର ଆଶଙ୍କା ରହିଛି।