ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ରବିବାର କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଜାରି ପ୍ରସ୍ତୁତି ହେତୁ ସହରରେ ଅନେକ ବଡ଼ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ପରିସ୍ଥିତି ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧି ଦଳର ସୁରକ୍ଷା ଟିମ ମଧ୍ୟ ଇସଲାମାବାଦରେ ପହଞ୍ଚିଛନ୍ତି।
ରିପୋର୍ଟ ଅନୁଯାୟୀ, ଦୁଇଟି ଆମେରିକୀୟ କାର୍ଗୋ ବିମାନ ରାୱଲପିଣ୍ଡିର ନୁର ଖାନ ଏୟାରବେସରେ ଅବତରଣ କରିଛି। ଏହା ସୂଚାଇ ଦେଉଛି ଯେ ଏକ ବଡ଼ ଆମେରିକୀୟ ପ୍ରତିନିଧି ଦଳ ଇସଲାମାବାଦରେ ପହଞ୍ଚିବାକୁ ଯାଉଛନ୍ତି। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଶାନ୍ତି ଆଲୋଚନା ପାଇଁ ଏପ୍ରିଲ ୧୨ରେ ନୁର ଖାନ ଏୟାରବେସରେ ଅବତରଣ କରିଥିଲେ।
ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନାକୁ ଦୃଷ୍ଟିରେ ରଖି ଇସଲାମାବାଦ ପୋଲିସ ବର୍ତ୍ତମାନ ଟ୍ରାଫିକରେ ବଡ଼ ପରିବର୍ତ୍ତନ କରିଛନ୍ତି। ବିଦେଶୀ ପ୍ରତିନିଧିଙ୍କ ଆଗମନ ଯୋଗୁଁ, ରେଡ ଜୋନ ଏବଂ ବିସ୍ତାରିତ ରେଡ ଜୋନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏହି ଅଞ୍ଚଳଗୁଡ଼ିକରେ ସମସ୍ତ ଗତିବିଧି ନିଷିଦ୍ଧ କରାଯାଇଛି। ଲୋକଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଏବଂ ସୁରକ୍ଷା ସହିତ ସହଯୋଗ କରିବାକୁ କୁହାଯାଇଛି। ଏପରିକି ହୋଟେଲଗୁଡ଼ିକରେ ବୁକିଂ ମଧ୍ୟ ବାତିଲ୍ କରାଯାଉଛି।
ଇସଲାମାବାଦ-ରାୱଲପିଣ୍ଡି ଯାତାୟାତ ବନ୍ଦ
୧୫ କିଲୋମିଟର ଦୂର ଇସଲାମାବାଦ ଏବଂ ରାୱଲପିଣ୍ଡିରେ ମଧ୍ୟ ପରିବହନ ସେବା ବନ୍ଦ କରାଯାଇଛି। ରାୱଲପିଣ୍ଡି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପରିବହନ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ତଥାପି, ଏହି ବ୍ୟବସ୍ଥାରୁ ବ୍ୟକ୍ତିଗତ ଯାନବାହନଗୁଡ଼ିକୁ ବାଦ୍ ଦିଆଯାଇଛି। ଇସଲାମାବାଦ ଜିଲ୍ଲା ପ୍ରଶାସନ ମଧ୍ୟ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଭାରୀ ଏବଂ ସାଧାରଣ ପରିବହନକୁ ବନ୍ଦ କରିଦେଇଛି। ଫଳରେ ଜନସାଧାରଣଙ୍କୁ ଗମନା ଗମନ ପାଇଁ ବହୁତ ସମସ୍ୟା ଭୋଗୁଛନ୍ତି। ଏହି ସୁରକ୍ଷା କଟକଣା ୧୦ ଦିନ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି କୁହାଯାଉଛି।