ଚଳିତ ସିଜିନରେ ଅପରାଜିତ ଥିବା ପଞ୍ଜାବ କିଙ୍ଗସ ରବିବାର ସନ୍ଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ଭେଟିବ । ଏହି ମ୍ୟାଚ ମହାରାଜା ୟଦୱିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ମୂଲନପୁର, ନୂଆ ଚଣ୍ଡିଗଡରେ ଖେଳାଯିବ । ଏହା ଉଭୟ ଦଳ ପାଇଁ ଚଳିତ ସିଜିନର ଷଷ୍ଠ ମ୍ୟାଚ । ପଞ୍ଜାବ କିଙ୍ଗସ ଅପରାଜିତ ରହି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଓ ଅନ୍ୟପଟେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ।
ଦୁଇ ଦଳରେ ବିସ୍ଫୋରକ ବ୍ୟାଟର ଥିଲେ ମଧ୍ୟ ପଞ୍ଜାବର ବ୍ୟାଟିଂ ୟୁନିଟ ଚଳିତ ସିଜିନରେ ଲକ୍ଷ୍ନୌର ବ୍ୟାଟିଂ ୟୁନିଟ ତୁଳନାରେ ଶକ୍ତିଶାଳୀ ନଜର ଆସିଛନ୍ତି । ଲକ୍ଷ୍ନୌର ଟପ ୫ ବ୍ୟାଟ୍ସମ୍ୟାନ ଯେତିକି ଛକା ମାରିଛନ୍ତି ତାହା ଠାରୁ ଅଧିକ ଛକା ମାରିଛନ୍ତି ପଞ୍ଜାବର ଦୁଇ ଓପନର ପ୍ରିୟାଂଶ ଆର୍ୟା ଓ ପ୍ରଭସିମରନ ସିଂ । ଲକ୍ଷ୍ନୌର ମିଚେଲ ମାର୍ଶ (୭), ଏଡେନ୍ ମାର୍କରାମ (୬), ରିଷଭ ପନ୍ତ (୧), ନିକୋଲାସ୍ ପୁରନ୍ (୩), ଓ ଆୟୁଷ ବାଡୋନି (୩) ସାମୂହିକ ଭାବରେ ୨୦ ଟି ଛକା ମାରିଥିବାବେଳେ ପଞ୍ଜାବର ଦୁଇ ଓପନର ପ୍ରିୟାଂଶ (୧୧) ଓ ପ୍ରଭସିମରନ (୧୧) ୨୨ ଟି ଛକା ମାରିଛନ୍ତି।
ଚଳିତ ବର୍ଷ ପଞ୍ଜାବ ପାଞ୍ଚଟି ମ୍ୟାଚରୁ ଚାରୋଟି ମ୍ୟାଚରେ ବିଜୟ ହାସଲ କରିଛି, କେବଳ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ଡ୍ର ହୋଇଥିଲା। ଅନ୍ୟପଟେ ଲକ୍ଷ୍ନୌ ତାର ପାଞ୍ଚଟି ମ୍ୟାଚରୁ କେବଳ ଦୁଇଟି ମ୍ୟାଚ ଜିତିଛି । ପଞ୍ଜାବ ପାଇଁ, ପ୍ରଭସିମରନ ସିଂହ ସର୍ବାଧିକ ୨୧୧ ରନ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟତୀତ, ଅଧିନାୟକ ଶ୍ରେୟସ ଆୟର ୨୦୩ ରନ, କୁପର କନୋଲି ୧୩୬ ଓ ପ୍ରିୟାଂଶ ଆର୍ୟା ୧୧୮ ରନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ୍ନୌର ବ୍ୟାଟିଂ ୟୁନିଟ ସମ୍ପୂର୍ଣ୍ଣ ଫେଲ ମାରିଛି । ଲକ୍ଷ୍ନୌ ପାଇଁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ମୁକୁଲ ଚୌଧୁରୀ, ସେ ୫ ଟି ମ୍ୟାଚରେ ଗୋଟିଏ ଅର୍ଦ୍ଧଶତକ ସହ ୧୨୭ ରନ ସଂଗ୍ରହ କରିଛନ୍ତି।
ଲକ୍ଷ୍ନୌର ବୋଲିଂ ୟୁନିଟ ଭଲ ଥିବାରୁ ପଞ୍ଜାବ ବିପକ୍ଷ ମ୍ୟାଚ ବେଶ ରୋମାଞ୍ଚକର ହେବ । ମହମ୍ମଦ ଶାମି ଓ ପ୍ରିନ୍ସ ଯାଦବ ଭଲ ଫର୍ମରେ ଅଛନ୍ତି । ଅନ୍ୟପଟେ ପଞ୍ଜାବର ବୋଲିଂ ଲକ୍ଷ୍ନୌ ତୁଳନାରେ ସାମାନ୍ୟ ଫିକା ପଡିପାରେ । ପଞ୍ଜାବର ପ୍ରମୁଖ ବୋଲର, ୟୁଜବେନ୍ଦ୍ର ଚହଲ, ମାର୍କୋ ୟାନସେନ୍ ଓ ଅର୍ଶଦୀପ ସିଂ ଆଶା ଅନୁଯାୟୀ ପ୍ରଦର୍ଶନ କରିନାହାନ୍ତି । ସେହିଭଳି ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତ ନିଜ ଫର୍ମ ଖୋଜୁଛନ୍ତି ।
ଚଳିତ ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ର ସବୁଠାରୁ ମହଙ୍ଗା ଖେଳାଳି ଓ ଦଳର ଅଧିନାୟକ ରିଷଭ ପନ୍ତଙ୍କ ବ୍ୟାଟ ନୀରବ ରହିଛି। ସେ ୫ ଟି ମ୍ୟାଚରେ ୧୦୪ ରନ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରିଷଭ ପନ୍ତ ଗୋଟିଏ ଅର୍ଦ୍ଧଶତକ କରିଥିବାବେଳେ ମାତ୍ର ଗୋଟିଏ ଛକ୍କା ମାରିଛନ୍ତି । ଅନ୍ୟପଟେ ପଞ୍ଜାବର ଅଧିନାୟକ ଶ୍ରେୟସ ଆୟାରଙ୍କ ବ୍ୟାଟରୁ ରନ ବର୍ଷା ହେଉଛି । ସେ ପାଞ୍ଚଟି ମ୍ୟାଚରେ ୧୮୭ ଷ୍ଟ୍ରାଇକ ରେଟ୍ ରେ ୨୦୩ ରନ ସଂଗ୍ରହ କରିଛନ୍ତି । ସେ ୩ ଟି ଅର୍ଦ୍ଧଶତକ କରିଛନ୍ତି ଯେଉଁଥିରେ୧୪ ଟି ଚୌକା ଓ ୧୪ ଟି ଛକା ସାମିଲ ରହିଛି ।