ରବିବାର ଅପରାହ୍ନରେ କୋଲକତାର ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ କୋଲକତା ନାଇଟ ରାଇଡ଼ର୍ସ । ରାଜସ୍ଥାନ ଚଳିତ ସିଜିନରେ ୫ ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ପରାଜୟର ସାମ୍ନା କରିଥିବାବେଳେ ସିଜିନର ପ୍ରଥମ ବିଜୟ ଆଶାରେ କୋଲକତା । ଆଇପିଏଲ ୨୦୨୬ ରେ କୋଲକତା ୬ ଟି ମ୍ୟାଚ ଖେଳିଥିବାବେଳେ ୫ ଟି ମ୍ୟାଚରେ ପରାଜୟ ଓ ଗୋଟିଏ ମ୍ୟାଚ ବିନା କୌଣସି ଫଳାଫଳରେ ସମାପ୍ତ ହୋଇଛି । ରାଜସ୍ଥାନ ୫ ଟି ମ୍ୟାଚରୁ ୪ ଟି ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବାବେଳେ କୋଲକତା ଦଶମ ସ୍ଥାନରେ ରହିଛି ।
ରାଜସ୍ଥାନର ଦୁଇ ବିସ୍ଫୋରକ ଓପନର ୟଶସ୍ଵୀ ଜେସୱାଲ ଓ ବୈଭବ ସୂର୍ଯ୍ୟବଂଶୀ ଦ୍ରୁତଗତିରେ ଇନିଂସର ଆରମ୍ଭ କରୁଥିବାବେଳେ ମିଡିଲ ଅର୍ଡରରେ ଥିବା ଧ୍ରୁବ ଯୁରେଲ, ରିୟାନ ପରାଗ ଓ ଡୋନୋବନ ଫେରେଇରା ଭଲ ଫର୍ମରେ ଅଛନ୍ତି । ଏହା ସହ ରାଜସ୍ଥାନର ବୋଲିଂ ୟୁନିଟ କୁ ମଧ୍ୟ ଚଳିତ ସିଜିନରେ ସଫଳତା ମିଳିଛି । ରବି ବିଷ୍ଣୋଇ (୫ ମ୍ୟାଚରେ ୯ ୱିକେଟ୍), ଜୋଫ୍ରା ଆର୍ଚ୍ଚର(୫ ମ୍ୟାଚରେ ୭ ୱିକେଟ୍), ନାନ୍ଦ୍ରେ ବର୍ଗର (୫ ମ୍ୟାଚରେ ୫ ୱିକେଟ୍) ଓ ସନ୍ଦୀପ ଶର୍ମାଙ୍କୁ (୫ ମ୍ୟାଚରେ ୫ ୱିକେଟ୍) ସମୁଦାୟ ୨୬ ଟି ୱିକେଟ୍ ମିଳିଛି ।
କୋଲକତା ନାଇଟ ରାଇଡ଼ର୍ସ ଚଳିତ ସିଜିନରେ ପ୍ରଥମ ବିଜୟ ପାଇଁ ସଂଘର୍ଷ କରୁଛି । ଘରୋଇ ମୈଦାନ ଇଡେନ ଗାର୍ଡେନ୍ସକୁ କୋଲକତାର ଗଡ କୁହାଯାଉଥିବାବେଳେ ଏଠାରେ ମଧ୍ୟ କୋଲକତାକୁ ପରାଜୟର ସାମ୍ନା କରିବାକୁ ପଡିଛି । ବର୍ତ୍ତମାନ ସୁଦ୍ଧା କୋଲକତା ଇଡେନ ଗାର୍ଡେନ୍ସରେ ୩ ଟି ମ୍ୟାଚ ଖେଳିଥିବାବେଳେ ୨ ଟି ମ୍ୟାଚରେ ପରାଜିତ ହୋଇଛି ଓ ଗୋଟିଏ ମ୍ୟାଚ ବର୍ଷା ପାଇଁ କୌଣସି ଫଳାଫଳ ମିଳିପାରିନାହିଁ । ସୁନୀଲ ନାରିନ, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଅଭିଜ୍ଞ ସ୍ପିନରଙ୍କ ଖରାପ ପ୍ରଦର୍ଶନ ଫଳରେ ବୋଲିଂ ବିପର୍ଯୟ ଦେଖିବାକୁ ମିଳୁଛି । ଅଙ୍ଗକ୍ରିସ ରଘୁବଂଶୀଙ୍କୁ ଛାଡିଦେଲା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଫର୍ମରେ ନାହାନ୍ତି । ୨୫.୨୦ କୋଟି ରେ କିଣା ହୋଇଥିବା କ୍ୟାମରନ ଗ୍ରୀନ ଉଭୟ ବୋଲିଂ ଓ ବ୍ୟାଟିଂରେ ନିରାଶ କରିଛନ୍ତି ।