ଶ୍ରେୟସ ଆୟର ଜଣେ ଭଲ ବ୍ୟାଟ୍ସମ୍ୟାନ ସହ ଜଣେ ଭଲ ଅଧିନାୟକ ଓ ଭଲ ଫିଲ୍ଡର ମଧ୍ୟ । ନିଜ ବ୍ୟାଟିଂ, ଫିଲଡିଂ ଓ କ୍ୟାପିଟେନ୍ସି ବଳରେ ସେ ପଞ୍ଜାବକୁ ୨୦୨୫ ଫାଇନାଲରେ ପହଞ୍ଚାଇଥିଲେ । ଚଳିତ ସିଜିନରେ ମଧ୍ୟ ଧୂଆଁଦାର ଅନ୍ଦାଜରେ ବ୍ୟାଟିଂ କରୁଛନ୍ତି ଶ୍ରେୟସ, ୫ ଟି ମ୍ୟାଚରେ ୨୦୩ ରନ ସଂଗ୍ରହ କରିଛନ୍ତି । ତାଙ୍କ ପ୍ରତିନିଧିତ୍ୱରେ ପଞ୍ଜାବ ଚଳିତ ସିଜିନରେ ଗୋଟେ ବି ମ୍ୟାଚ ହାରି ନାହିଁ ଓ ଟେବୁଲ ଟପର ମଧ୍ୟ ରହିଛି ।
ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥବା ମ୍ୟାଚରେ ଶ୍ରେୟସ କିଛି ଏଭଳି କାରନାମା କରିଛନ୍ତି ଯେ ସବୁଠି ତାଙ୍କ ଫିଲଡିଂ ବିଷୟରେ ଆଲୋଚନା କରୁଛନ୍ତି । ତେବେ ଗୁରୁବାର ପଞ୍ଜାବ, ମୁମ୍ବାଇ ବିପକ୍ଷରେ ଖେଳୁଥିଲା । ପ୍ରଥମ ଇନିଂସରେ ନମନ ଧୀର ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ କିଛି ସମୟ ପଡିଆରେ ରହିବା ପରେ ୧୭.୧ ଓଭରରେ ମାର୍କୋ ୟାନସେନଙ୍କୁ ଛକ୍କା ମାରିଲେ । ଓଭରର ୧୭.୩ ବଲରେ ଲଙ୍ଗ-ଅନ ଫିଲଡର ଉପରେ ଛକା ମାରିବାକୁ ଚେଷ୍ଟା କରିଥିଲେ । ଲଙ୍ଗ-ଅନରେ ଫିଲଡିଂ କରୁଥିଲେ ଶ୍ରେୟସ ଆୟାର, ବାଉଣ୍ଡ୍ରି ନିକଟରେ ସଠିକ ସମୟରେ ଡେଇଁ ବଲକୁ କ୍ୟାଚ କରି ବଲକୁ ବାଉଣ୍ଡ୍ରି ଭିତରେ ଥିବା ଜାଭିଅର ବାର୍ଟଲେଟଙ୍କୁ ହାତକୁ ପକାଇଥିଲେ ଓ ବାର୍ଟଲେଟ କ୍ୟାଚ ମଧ୍ୟ ଧରିଥିଲେ ।
ଏହି କ୍ୟାଚ ପରେ ପଡିଆରେ ଥିବା ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କୁ କ୍ୟାଚ ଯାଞ୍ଚ କରିବାକୁ କହିଥିଲେ, କିନ୍ତୁ ଶ୍ରେୟସ କ୍ୟାଚ ଧରିବା ପରେ ବିଶ୍ୱାସର ସହିତ ପଡିଆକୁ ଆସିଥିଲେ ଓ ଏହା କ୍ୟାଚ ଆଉଟ ବୋଲି କହିଥିଲେ । କିଛି ସମୟ ପରେ ତୃତୀୟ ଅମ୍ପାୟାର ମଧ୍ୟ ଏହାକୁ ଆଉଟ ବୋଲି କହିଥିଲେ । ଏହି କ୍ୟାଚ ଦେଖିବା ପରେ କମେଣ୍ଟେଟରଙ୍କ ସମେତ ମୁମ୍ବାଇ ଇଂଡିଆନ୍ସର ପ୍ଲେଆର ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଡଗଆଉଟରେ ବସିଥିବା ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖି ସ୍ପଷ୍ଟ ଜଣା ପଡୁଥିଲା କି ଶ୍ରେୟସ ଏକ ଅବିଶ୍ୱସନୀୟ କ୍ୟାଚ ଧରିଛନ୍ତି । ଏହି କ୍ୟାଚ ଦେଖିଲା ପରେ ସମସ୍ତେ କହୁଛନ୍ତି, ଶ୍ରେୟସ ଆୟାରଙ୍କୁ କ୍ୟାଚ ଅଫ ଦ ଟୁର୍ନାମେଣ୍ଟ ମିଳିବ ।