ତିନି ଥର ଆଇପିଏଲ ଚାମ୍ପିଅନ କୋଲକାତା ନାଇଟ୍ ରାଇଡର୍ସ ଚଳିତ ସିଜିନରେ ଫ୍ୟାନ୍ସଙ୍କୁ ନିରାଶ କରିଛି । ବର୍ତ୍ତମାନ ସୁଦ୍ଧା ୫ ଟି ମ୍ୟାଚ ଖେଳିଥିବାବେଳେ ୪ ଟି ମ୍ୟାଚରେ ପରାଜୟର ସାମ୍ନା କରିଛି କୋଲକାତା । ଚଳିତ ସିଜିନରେ ଆଉଟ ଅଫ ଫର୍ମରେ କୋଲକାତା ଶୁକ୍ରବାର ଗୁଜୁରାଟ ବିପକ୍ଷ ମ୍ୟାଚରେ କମ-ବ୍ୟାକ କରିବାକୁ ଚେଷ୍ଟା କରିବ । ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହର୍ଷିତ ରାଣା ଓ ଆକାଶ ଦୀପ ଆହତ ହେବା ସହ ବିସିସିଆଇଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁସ୍ତଫିଜୁର ରେହମାନଙ୍କୁ ଦଳରୁ ବାଦ ଦିଆଯିବା ପରେ କୋଲକାତାର ବୋଲିଂ ଲାଇନ-ଅପ ବେଶ ଦୁର୍ବଳ ହୋଇଯାଇଛି । ଏହା ସହ ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଫର୍ମରେ ନଥିବାରୁ କୋଲକାତାର ଚିନ୍ତା ବଢିଛି । ବିଶେଷ କରି ବରୁଣ ଚକ୍ରବର୍ତ୍ତୀ ଏପର୍ଯ୍ୟନ୍ତ ଗୋଟେ ବି ୱିକେଟ୍ ହାସଲ କରିନାହାନ୍ତି । ଦଳର ପ୍ଲେଇଂ ୧୧ ଚୟନକୁ ନେଇ ମଧ୍ୟ ଫ୍ୟାନ୍ସ ପ୍ରଶ୍ନ ଉଠାଇଛନ୍ତି । ଟିମ ସେଫର୍ଟ ଓ ରଚିନ ରବୀନ୍ଦ୍ରଙ୍କୁ କାହିଁକି ଖେଳାଯାଉନି ସେ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
କେବଳ ଖେଳାଳି ଚୟନରେ କୋଲକାତା ଭୁଲ ନିଷ୍ପତି ନେଉଛି ତାହା ନୁହେଁ ଅଧିନାୟକ ରାହାନେ ଟସ ଜିତିବା ପରେ ନେଉଥିବା ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ବର୍ଷା ପାଇଁ ୩.୪ ଓଭର ଖେଳ ହୋଇ ବାତିଲ ହୋଇଥିଲା । ଏହି ମ୍ୟାଚରେ ରାହାନେ ଟସ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲେ । ଅନ୍ୟପଟେ ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚରେ ରାହାନେ ଟସ ଜିତି ବ୍ୟାଟିଂ କରିବ ପରିବର୍ତ୍ତେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ, ଯେଉଁଥିରେ ତାଙ୍କୁ ୩୨ ରନରେ ଚେନ୍ନାଇ ପରାସ୍ତ କରିଥିଲା । ମୁମ୍ବାଇ ବିପକ୍ଷ ମ୍ୟାଚରେ କୋଲକାତା ୨୨୦ ରନ କରି ମଧ୍ୟ ପରାସ୍ତ ହୋଇଥିଲା ଓ ହାଇଦ୍ରାବାଦ ଠାରୁ ୬୫ ରନରେ ପରାସ୍ତ ହୋଇଥିଲା । ୨୦୨୪ ରେ ଚାମ୍ପିଅନ ହେବା ପରେ କୋଲକାତା ଦିଗହରା ହୋଇଥିବା ନଜର ଆସୁଛି ।
ଚଳିତ ସିଜିନ ପୂର୍ବରୁ ହୋଇଥିବା ଅକ୍ସନରେ କ୍ୟାମରନ ଗ୍ରୀନଙ୍କୁ କୋଲକାତା ୨୫.୨୦ କୋଟି ଟଙ୍କାରେ କିଣିଥିଲା । ଆନ୍ଦ୍ରେ ରସେଲଙ୍କ ସ୍ଥାନ ପୂରଣ କରିବା ପାଇଁ କୋଲକାତା ଏହି ଅଷ୍ଟ୍ରେଲିଆ ଅଲରାଉଣ୍ଡରଙ୍କୁ ମହଙ୍ଗା ଦରରେ କିଣିଥିଲେ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି ଗ୍ରୀନ । ପାଞ୍ଚଟି ଇନିଂସରେ ଗ୍ରୀନ ମାତ୍ର ୫୬ ରନ କରିଛନ୍ତି ଓ ବୋଲିଂରେ କୌଣସି ପ୍ରଭାବ ପକାଇପାରିନାହାନ୍ତି ।