ଚଳିତ ସିଜିନର ଦୁଇ ଯୁବ ଦ୍ରୁତ ବୋଲର ପ୍ରଫୁଲ ହିଙ୍ଗେ ଏବଂ ସାକିବ ହୁସେନ ନିଜ ଡେବ୍ୟୁ ମ୍ୟାଚରେ ସମୁଦାୟ ୮ ଟି ୱିକେଟ୍ ନେଇ ଅନେକ ପ୍ରଶଂସା ସାଉଁଟିଥିବାବେଳେ, ଦୁଇ ଖେଳାଳି ଓଡିଶାରୁ ତାଲିମ ନେଇଥିବା ସୂଚନା ମିଳିଛି । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ଏହି ଦୁଇ ଖେଳାଳି ଆଇପିଏଲ ପୂର୍ବରୁ ଭୁବନେଶ୍ୱରରେ ରହି କ୍ରିକେଟ ତାଲିମ ନେଉଥିଲେ । ଭୁବନେଶ୍ୱର ଇନ୍ଫୋସିଟି ଅଞ୍ଚଳରେ ଥିବା ରାଓ କ୍ରିକେଟ ଏକାଡେମୀରେ ଦୀର୍ଘ ଦିନ ଧରି ବୋଲିଂ ଅଭ୍ୟାସ କରିଛନ୍ତି ପ୍ରଫୁଲ ହିଙ୍ଗେ ଏବଂ ସାକିବ ହୁସେନ ।
ଝାଡ଼ଖଣ୍ଡର ପୂର୍ବତନ ଖେଳାଳି ଏବଂ ପ୍ରଶିକ୍ଷକ ଏସ୍.ଏସ୍. ରାଓଙ୍କ ଦ୍ୱାରା ପରିଚାଳିତ ଏହି ଏକାଡେମୀରେ ଏହି ଦୁଇ ଖେଳାଳି ଆଇପିଏଲ ପୂର୍ବରୁ ଅଭ୍ୟାସ କରୁଥିଲେ । ସନରାଇଜର୍ସର ବୋଲିଂ କୋଚ ବରୁଣ ଆରୋନ ଏହି ଦୁଇ ଖେଳାଳିଙ୍କୁ ସ୍ୱତନ୍ତ୍ର ତାଲିମ ପାଇଁ ଚିହ୍ନଟ କରିଥିଲେ । ବରୁଣ ଝାଡ଼ଖଣ୍ଡର ପୂର୍ବତନ ସାଥି ଖେଳାଳି ରାଓଙ୍କ ପାଖରେ ସ୍ୱତନ୍ତ୍ର ତାଲିମ ନେବା ପାଇଁ ପ୍ରଫୁଲ ଓ ସାକିବଙ୍କୁ ଭୁବନେଶ୍ୱରରେ ଥିବା ରାଓ ଏକାଡେମୀକୁ ପଠାଇଥିଲେ । ପ୍ରଫୁଲ ଓ ସାକିବ ଫେବୃଆରୀ-ମାର୍ଚ୍ଚ ମାସରେ ରାଓ ଏକାଡେମୀରେ ଥିଲେ ଓ ଆଇପିଏଲ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଫେରିଯାଇଥିଲେ।
କାହିଁକି ଚର୍ଚ୍ଚାରେ ସାକିବ ଓ ପ୍ରଫୁଲ ?
ସନରାଇଜର୍ସ ହାଇଦ୍ରାବାଦ ଚଳିତ ସିଜିନର ପଞ୍ଚମ ମ୍ୟାଚ ରାଜସ୍ଥାନ ବିପକ୍ଷରେ ଖେଳୁଥିଲା । ଦ୍ଵିତୀୟ ଇନିଂସର ପ୍ରଥମ ଓଭରରେ ରାଜସ୍ଥାନର ଇନ-ଫର୍ମ ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଯୁରେଲ ଓ ପ୍ରିଟୋରିଅସଙ୍କୁ ପ୍ୟାଭିଲିଅନ ପଠାଇଥିଲେ ପ୍ରଫୁଲ ହିଙ୍ଗେ ଓ ନିଜର ପରବର୍ତ୍ତୀ ଓଭରରେ ରାଜସ୍ଥାନର ଅଧିନାୟକ ରିୟାନ ପରାଗଙ୍କ ୱିକେଟ୍ ସହ ସମୁଦାୟ ୪ ୱିକେଟ୍ ନେଇଥିଲେ ପ୍ରଫୁଲ ହିଙ୍ଗେ । ସେହି ମ୍ୟାଚରେ ହାଇଦ୍ରାବାଦର ଅନ୍ୟତମ ଦ୍ରୁତ ବୋଲର ସାକିବ ହୁସେନ ମଧ୍ୟ ୪ ଟି ୱିକେଟ୍ ନେଇଥିଲେ । ଏକଦା ବୋଲିଂରେ ଦୁର୍ବଳ ନଜର ଆସୁଥିବା ହାଇଦ୍ରାବାଦକୁ ନିଜ ବୋଲିଂ ବଳରେ ମ୍ୟାଚ ଜିତାଇଥିବା ଏହି ଦୁଇ ଖେଳାଳି ଏବେ ଚର୍ଚ୍ଚାରେ ।