ଇଣ୍ଡିଆନ ପ୍ରିମିଅର ଲିଗ(ଆଇପିଏଲ) ବିଶ୍ୱର ସବୁଠାରୁ ସଫଳ ଟି-୨୦ ଲିଗ । ଭାରତୀୟ ଖେଳାଳିଙ୍କ ସମେତ ଏହା ବିଦେଶୀ ଖେଳାଳିଙ୍କୁ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥାଏ । ଏହି ଲିଗରେ ଖେଳାଳି ମାନେ କିଭଳି ସ୍ୱଛତାର ସହିତ କ୍ରୀଡ଼ାପ୍ରେମୀ ମନୋଭାବ ନେଇ ଖେଳିବେ ତାକୁ ଦୃଷ୍ଟିରେ ରଖି ଫେୟାର ପ୍ଲେ ଆୱାର୍ଡ ପ୍ରଚଳନ କରାଯାଇଛି । ଏହା କୌଣସି ଖେଳାଳିଙ୍କୁ ମିଳେନାହିଁ ବରଂ ଏହା ଲିଗରେ କ୍ରୀଡ଼ାପ୍ରେମୀ ମନୋଭାବ ବଜାୟ ରଖି ଖେଳୁଥିବା ଦଳକୁ ମିଳିଥାଏ । ଏହି ଆୱାର୍ଡ କାହାକୁ ମିଳିବ ସେ ନେଇ ପ୍ରତି ମ୍ୟାଚରେ ପଡିଆରେ ଥିବା ଦୁଇ ଅମ୍ପାୟାର ଓ ତୃତୀୟ ଅମ୍ପାୟାର ପଏଣ୍ଟ ଦେଇଥାନ୍ତି । ଟୁର୍ନାମେଣ୍ଟ ଶେଷ ହେବା ପରେ ଯେଉଁଦଳର ହାରାହାରି ଫେୟାର ପ୍ଲେ ପଏଣ୍ଟ ଅଧିକ ଥାଏ, ଏହି ଆୱାର୍ଡ ସେହି ଦଳକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା କେମିତି ପଏଣ୍ଟ ମିଳେ ଓ କିଏ କିଏ ଏ ଆୱାର୍ଡ ଜିତିଛନ୍ତି ?
ଆଇପିଏଲର ପ୍ରତ୍ୟେକ ମ୍ୟାଚ ପରେ, ପଡିଆରେ ଥିବା ଦୁଇ ଅମ୍ପାୟାର ଓ ତୃତୀୟ ଅମ୍ପାୟାର ମିଳିତ ଭାବେ ଉଭୟ ଦଳକୁ ସେମାନଙ୍କ ବ୍ୟବହାର କୁ ନେଇ ପଏଣ୍ଟ ଦେଇଥାନ୍ତି । ପ୍ରତ୍ୟେକ ଦଳ ପ୍ରତି ମ୍ୟାଚରେ ୧୦ ପଏଣ୍ଟ ଅର୍ଜନ କରିପାରିବ, ଯାହା ୪ ମାନଦଣ୍ଡରେ ବିଭକ୍ତ।
- ସ୍ପୋର୍ଟ୍ସମ୍ୟାନ ସ୍ପିରିଟ ଅର୍ଥାତ ଖେଳର ଭାବନାକୁ ବଜାୟ ରଖିଥିବା ଦଳ କୁ ୪ ପଏଣ୍ଟ ମିଳିଥାଏ
- ପ୍ରତିପକ୍ଷ ଦଳ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ଦଳକୁ ୨ ପଏଣ୍ଟ ମିଳିଥାଏ
- କ୍ରିକେଟର ନିୟମ ମାନି ଖେଳୁଥିବା ଦଳକୁ ୨ ପଏଣ୍ଟ ମିଳିଥାଏ
- ଅମ୍ପାୟାର ଓ ମ୍ୟାଚ ଅଫିସିଆଲଙ୍କୁ ସମ୍ମାନ ଦେଇଥିବା ଦଳକୁ ୨ ପଏଣ୍ଟ ମିଳିଥାଏ
- ଏହା ବ୍ୟତୀତ ବୋନସ ପଏଣ୍ଟ ମଧ୍ୟ ମିଳେ
ତେବେ ଆଇପିଏଲରେ ସବୁ ଦଳ ସମାନ ସଂଖ୍ୟକ ମ୍ୟାଚ ଖେଳନ୍ତି ନାହିଁ । ମାତ୍ର ୪ ଟି ଦଳ ପ୍ଲେଅଫସ ଖେଳିବାର ସୁଯୋଗ ପାଆନ୍ତି । ଯେଉଁ ଦଳ ପ୍ଲେଅଫସ ରେ ପହଞ୍ଚି ପାରନ୍ତି ନାହିଁ ସେମାନେ ମଧ୍ୟ ଫେୟାର ପ୍ଲେ ଆୱାର୍ଡ ଜିତିପାରିବେ । ତେଣୁ ଲିଗ ଶେଷରେ ସମସ୍ତ ଦଳର ହାରାହାରି ଫେୟାର ପ୍ଲେ ପଏଣ୍ଟ ଆଧାରରେ ବିଜେତା ଘୋଷଣା କରାଯାଏ । ସର୍ବାଧିକ ହାରାହାରି ଫେୟାର ପ୍ଲେ ପଏଣ୍ଟ ସହ ଯେଉଁ ଦଳ ଏହି ତାଲିକାର ଶୀର୍ଷରେ ଥାଏ ତାକୁ ହିଁ ଏହି ଆୱାର୍ଡ ମିଳିଥାଏ ।
କିଏ ଜିତିଛି ଫେୟାର ପ୍ଲେ ଆୱାର୍ଡ ଓ କେବେ ଜିତିଛି ?
ଚେନ୍ନାଇ ସୁପର କିଙ୍ଗସ ସବୁଠାରୁ ଅଧିକ ଥର (୭ ଥର) ଏହି ଆୱାର୍ଡ ଜିତିଛି । ୨୦୦୮, ୨୦୧୦, ୨୦୧୧, ୨୦୧୩, ୨୦୧୪, ୨୦୧୫ ଓ ୨୦୨୫ ରେ ଚେନ୍ନାଇ ଏହି ଆୱାର୍ଡ ଜିତିଛି ।
ସନରାଇଜର୍ସ ହାଇଦ୍ରାବାଦ ୨୦୧୬, ୨୦୧୯ ଓ ୨୦୨୪ ରେ ଏହି ଆୱାର୍ଡ ଜିତିଛି ।
ରାଜସ୍ଥାନ ରୟାଲସ ୨୦୧୨, ୨୦୨୧ ଓ ୨୦୨୨ରେ ତିନି ଥର ଏହି ଆୱାର୍ଡ ଜିତିଛି । ୨୦୨୨ ରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ଯୁଗ୍ମ ବିଜେତା ହୋଇଥିଲେ ।
ମୁମ୍ବାଇ ଇଂଡିଆନ୍ସ ୨୦୧୮ ଓ ୨୦୨୦ ରେ ଏହି ଆୱାର୍ଡ ଦୁଇ ଥର ଜିତିଛି ।
୨୦୦୯ ରେ କିଙ୍ଗସ ଏକ୍ସଆଇ ପଞ୍ଜାବ, ୨୦୧୭ ରେ ଗୁଜୁରାଟ ଲାଏନ୍ସ ଓ ୨୦୨୩ ରେ ଦିଲ୍ଲୀ କ୍ୟାପିଟାଲସ ଏହି ଆୱାର୍ଡ ଥରେ ଲେଖାଏଁ ଜିତିଥିଲେ ।