ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟକାଳ ଚଳିତ ବର୍ଷ ଜୁନରେ ସରୁଛି । ମାତ୍ର ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହେବାକୁ ଥିବା ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ମୁତାବକ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅବଧିକୁ ଆଉ ଗୋଟିଏ ବର୍ଷ ପାଇଁ ବଢା ଯାଇଛି । ଏବେ ଅଗରକର ୨୦୨୭ ଜୁନ ପର୍ଯ୍ୟନ୍ତ ମୁଖ୍ୟ ଚୟନକର୍ତ୍ତା ପଦରେ ରହିବେ । ହେଲେ ଏହାକୁ ନେଇ ବିସିସିଆଇ ପକ୍ଷରୁ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
କେଉଁ କାରଣ ପାଇଁ ବଢୁଛି ଅଗରକରଙ୍କ କାର୍ଯ୍ୟକାଳ ?
ପ୍ରଶ୍ନ ଉଠୁଛି ଯେ, ବିସିସିଆଇ ଅଜିତ ଅଗରକରଙ୍କ କାର୍ଯ୍ୟକାଳ କାହିଁକି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଉଛି ? କାହିଁକି ଆଉ ୧୨ ମାସ ସମୟ ଦେବାକୁ ଚିନ୍ତା କରୁଛି ? ଏହା ପଛରେ କିଛି କାରଣ ରହିଛି । ପ୍ରଥମ କାରଣ ହେଉଛି ଭାରତୀୟ ଦଳର ଫୋକସ ୨୦୨୭ ଦିନିକିଆ ବିଶ୍ୱକପ ଜିତିବା ଉପରେ ରହିଛି । ଦ୍ୱିତୀୟ ମୁଖ୍ୟ ଚୟନକର୍ତ୍ତା ଭାବେ ଅଗରକରଙ୍କ ଉପଲବ୍ଧି ଏବଂ ତୃତୀୟ ହେଉଛି ଅଗରକରଙ୍କ ନିକଟରେ ନିଷ୍ପତ୍ତି ନେବାର କ୍ଷମତା ରହିଛି । ଅର୍ଥାତ ସେ କାହା ଉପରେ ନିର୍ଭରଶୀଳ ହୁଅନ୍ତି ନାହିଁ ।
ଦିନିକିଆ ବିଶ୍ୱକପ୍ ଉପରେ ଫୋକସ
ଦିନିକିଆ ବିଶ୍ୱକପ୍ ୨୦୨୭କୁ ଆଉ ଅଧିକ ସମୟ ନାହିଁ । ଏବେଠୁ ଏକ ମଜବୁତ ଟିମ୍ ପ୍ରସ୍ତୁତ କରିବାର ଦାୟିତ୍ୱ ଚୟନକର୍ତ୍ତାଙ୍କଠୁ ନେଇ ଟିମ୍ ମ୍ୟାନେଜମେଣ୍ଟଙ୍କ ଉପରେ ରହିଛି । ଏହାକୁ ନେଇ ବୋର୍ଡ ସଂପ୍ରତି କୌଣସି ଏକ ନୂଆ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି କରିବା ପରିବର୍ତ୍ତେ ବୋର୍ଡ ଅଜିତ ଅଗରକରଙ୍କ ପରି ଅନୁଭବିଙ୍କ କାର୍ଯ୍ୟକାଳ ବଢାଇବାକୁ ଉଚିତ୍ ମନେ କରିଛି ।
ଅଗରକରଙ୍କ ଚମତ୍କାର ଉପଲବ୍ଧି
ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକରଙ୍କ ଉପଲବ୍ଧି ବେଶ ଦମଦାର ରହିଛି । ତାଙ୍କର ମୁଖ୍ୟ ଚୟନକର୍ତ୍ତା ସମୟରେ ଭାରତ ୩ ଆଇସିସି ଟ୍ରଫି ଜିତି ପାରିଛି । ଏଥିରେ ୨୦୨୪ ଟି-୨୦ ବିଶ୍ୱକପ୍, ୨୦୨୫ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୨୬ ଟି-୨୦ ବିଶ୍ୱକପ୍ ସାମିଲ୍ । ଅଗରକରଙ୍କ ଏହି ସଫଳତା ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯିବା ପଛରେ ସବୁଠୁ ବଳିଷ୍ଠ କାରଣ ହୋଇଛି ।
କଡା ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର କ୍ଷମତା
ଅଜିତ ଅଗରକର ମୁଖ୍ୟ ଚୟନକର୍ତ୍ତା ଭାବେ ଉପଲବ୍ଧି ହାସଲ କରିବା ସହ କିଛି ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଉ ଏହାର ସକରାତ୍ମକ ପ୍ରଭାବ ଟିମ ଇଣ୍ଡିଆ ଉପରେ ପଡିଛି । ବିସିସିଆଇର ଜଣେ ବଡ ଅଧିକାରୀ କହିଛନ୍ତି ଯେ, ଅଜିତ ଅଗରକରଙ୍କ କାର୍ଯ୍ୟକାଳରେ ଟିମ୍ ଇଣ୍ଡିଆର ସମୟ ବହୁତ ସହଜ ଏବଂ ସଫଳତାପୂର୍ଣ୍ଣ ରହିଛି । ସେ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି । ତାଙ୍କ ନିକଟରେ ନିଜସ୍ୱ କଡା ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର କ୍ଷମତା ରହିଛି । ତେଣୁ ବୋର୍ଡ ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।