ନିଜର ‘ପର୍ସନାଲିଟି ରାଇଟ୍ସ’ (ବ୍ୟକ୍ତିତ୍ୱ ଅଧିକାର) ର ସୁରକ୍ଷା ପାଇଁ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଅଭିନେତା ତାଙ୍କ ଅନୁମତି ବିନା ତାଙ୍କ ନାମ, ଫଟୋ ଏବଂ ସ୍ୱରର ବ୍ୟବସାୟିକ ବ୍ୟବହାର ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ବିଶେଷ କରି ବିଭିନ୍ନ ସାମଗ୍ରୀ ବିକ୍ରିରେ ତାଙ୍କ ପରିଚୟକୁ ବେଆଇନ ଭାବେ ବ୍ୟବହାର କରାଯାଉଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି।
ଅଲ୍ଲୁ ଅର୍ଜୁନଙ୍କ କହିବା କଥା ଯେ, ତାଙ୍କ ସମ୍ମତି ବିନା ତାଙ୍କ ସ୍ୱର, ଚେହେରା ଏବଂ ବ୍ୟକ୍ତିତ୍ୱକୁ ବ୍ୟବସାୟିକ ଲାଭ ପାଇଁ ବ୍ୟବହାର କରାଯାଉଛି। ଖାଲି ସେତିକି ନୁହେଁ, ଅନେକ AI ପ୍ଲାଟଫର୍ମ ତାଙ୍କ ସ୍ୱରର ନକଲ କରିବା ସହ ଡିଜିଟାଲ୍ ଅବତାର ଏବଂ ‘ଡିପଫେକ୍’ ବିଷୟବସ୍ତୁ ପ୍ରସ୍ତୁତ କରୁଛନ୍ତି। ଏହି ମାମଲାରେ ଫେସ୍ ମର୍ଫିଙ୍ଗ୍, ସିନ୍ଥେଟିକ୍ ଭଏସ୍ ମଡେଲ୍ ଏବଂ ତାଙ୍କ ଛବିକୁ ନେଇ ପ୍ରସ୍ତୁତ ଚାଟବଟ୍ଗୁଡ଼ିକର ଉଦାହରଣ ମଧ୍ୟ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ରାକା’ ଖୁବଶୀଘ୍ର ଆସୁଛି, ଯେଉଁଥିରେ ଦୀପିକା ପାଦୁକୋଣ, ରଶ୍ମିକା ମନ୍ଦାନା, ମୃଣାଳ ଠାକୁର ଏବଂ ଜାହ୍ନବୀ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ପ୍ରାୟ ୭୦୦ କୋଟିରୁ ଅଧିକ ବଜେଟରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ସନ୍ ପିକ୍ଚର୍ସ କରୁଛି।
ପର୍ସନାଲିଟି ରାଇଟ୍ସ କ’ଣ?
ପର୍ସନାଲିଟି ରାଇଟ୍ସ ହେଉଛି ଜଣେ ବ୍ୟକ୍ତିଙ୍କର ନିଜ ପରିଚୟକୁ ନିୟନ୍ତ୍ରଣ କରିବାର ଆଇନଗତ ଅଧିକାର। ଏହା ଜଣେ ବ୍ୟକ୍ତିଙ୍କ ନାମ, ଛବି, ସ୍ୱର, ସ୍ୱାକ୍ଷର କିମ୍ବା ତାଙ୍କ ସହ ଜଡ଼ିତ ସ୍ୱତନ୍ତ୍ର ଡାଇଲଗ୍କୁ ବିନା ଅନୁମତିରେ ବ୍ୟବସାୟିକ ରୂପେ ବ୍ୟବହାର କରିବାରୁ ରକ୍ଷା କରିଥାଏ। ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟରୁ ଏହି ପ୍ରସଙ୍ଗରେ ଆଶ୍ୱସ୍ତି ମିଳିଥିଲା।