ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡଡ୍ ଗାୟିକା ଆଶା ଭୋସଲେ ଆଉ ଏ ଦୁନିଆରେ ନାହାଁନ୍ତି । ରବିବାର ସକାଳେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆସନ୍ତାକାଲି ଶିବାଜୀ ପାର୍କରେ ଆଶାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏ ନେଇ ପୁଅ ଆନନ୍ଦ ଭୋସଲେ ସୂଚନା ଦେଇଛନ୍ତି ।
ଆଶାଙ୍କ ପୁଅ ଆନନ୍ଦ ଭୋସଲେ ଗାୟିକାଙ୍କ ପରଲୋକ ଖବରକୁ ନିଶ୍ଚିତ କରିଛନ୍ତି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ତାଙ୍କର ଅନ୍ତିମ ସଂସ୍କାର ଆସନ୍ତାକାଲି ଅପରାହ୍ନ ୪ଟାରେ କରାଯିବ। ତାଙ୍କ ପ୍ରଶଂସକମାନେ ଆସନ୍ତାକାଲି ସକାଳ ୧୧ଟାରେ ଲୋୟର ପାରେଲର କାସା ଗ୍ରାଣ୍ଡେ ଠାରେ ତାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇପାରିବେ। ତାଙ୍କର ଅନ୍ତିମ ସଂସ୍କାର ଆସନ୍ତାକାଲି ସନ୍ଧ୍ୟା ୪ଟାରେ ଶିବାଜୀ ପାର୍କରେ କରାଯିବ ବୋଲି କହିଛନ୍ତି ଆନନ୍ଦ ।
ଆଶାଙ୍କ କିଛି ଅକୁହା କଥା...
ଏକ ବାର୍ତ୍ତାଳାପ ସମୟରେ ଆଶା ଭୋସଲେ କହିଥିଲେ, ଯେତେବେଳେ ତାଙ୍କ ବଡ଼ ଭଉଣୀ ଲତା ମଙ୍ଗେସକର ବଞ୍ଚିଥିଲେ, ସେ ମନ୍ତବ୍ୟ ଦେଇଥିଲେ ଯେ ଏବେ, ଆମେ କେବଳ ଦୁଇଜଣ ଏ ହିନ୍ଦୀ ସିନେମା ଜଗତର 'ଶେଷ ମୋଗଲ' ବାକି ରହିଛୁ ।" ଏହା ପରେ ଲତା ଦିଦିଙ୍କ ଦେହାନ୍ତ ପରେ, ଆଶା ତାଇ ମଧ୍ୟ ସେହି ଚମତ୍କାର ସଙ୍ଗୀତ ଯୁଗର ଏକମାତ୍ର ଜୀବିତ 'ମୋଗଲ' ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ବଲିଉଡରେ ଏତେ କାହାଣୀ ରହିଛି ଯଦି ସେ କହିବାକୁ ବସିବେ ତାହା ହେଲେ ୩ରୁ ୪ଦିନ ସମୟ ଲାଗିଯିବ । ସେ ବଲିଉଡ୍ ବିଷୟରେ ସବୁ କିଛି ଜାଣିଛନ୍ତି ।
ଉଲ୍ଲେଖ ଯୋଗ୍ୟ, କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଆଜି ସକାଳେ ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଓ ଫୁସଫୁସ ସଂକ୍ରମଣ କାରଣରୁ ଶନିବାର ଦିନ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା । ଏହା ପରେ ପରେ ତାଙ୍କର ବିୟୋଗ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଆଶା ଭୋସଲେଙ୍କ ଦେହାନ୍ତ ନେଇ ନାତୁଣୀ ଜନାଇ ଭୋସଲେ ସୂଚନା ଦେଇଛନ୍ତି ।