ମୁମ୍ବାଇ: ଆଶା ଭୋସଲେ ଆଉ ଆମ ଗହଣରେ ନାହାନ୍ତି । କିନ୍ତୁ ତାଙ୍କର ମଧୁର ସ୍ୱରର ମୂର୍ଚ୍ଛନା ଆମ ସହିତ ସବୁ ଦିନ ପାଇଁ ରହିବ। ସେ ସଙ୍ଗୀତ ପରିବାରରୁ ଆସି ଏବଂ ଲତା ମଙ୍ଗେସକରଙ୍କ ଭଉଣୀ ହୋଇଥିଲେ ମଧ୍ୟ ବହୁ ସଂଘର୍ଷ କରି ସଙ୍ଗୀତ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଅନେକ ଥର ଖବର ପ୍ରକାଶ ପାଇଛି ଯେ, ଲତା ମଙ୍ଗେସକର ଓ ଆଶା ଭୋସଲେଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଆଶା ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ, କେମିତି ତାଙ୍କର ଏବଂ ଲତାଙ୍କ ମଧ୍ୟରେ ବହୁତ ଭଲ ପ୍ରତିଯୋଗିତା ହେଉଥିଲା ।
କଣ କହିଥିଲେ ଆଶା ଭୋସଲେ
ଇଣ୍ଡିଆ ଟୁଡେ ସହ ସାକ୍ଷାତକାରରେ ଭୋସଲେ କହିଥିଲେ, ଯେବେ ସଙ୍ଗୀତ ନିର୍ଦ୍ଦେଶକ ତାଙ୍କୁ ଫୋନ କରିଥିଲେ, ସେ ଭାବିଲେ ତାଙ୍କୁ ଗୀତ ପାଇଁ ଡକା ଯାଉଛି । କିନ୍ତୁ ବାସ୍ତବରେ ଲତା ଉକ୍ତ ଗୀତ ଗାଇଥିଲେ । ସେହି ଦିନ ମୁଁ ସ୍ଥିର କରିଥିଲି ଯେ, ମୋତେ ଅଲଗା କିଛି କରିବାକୁ ପଡିବ ଯଦ୍ୱାରା ସଙ୍ଗୀତ କ୍ଷେତ୍ରରେ ମୋର ନିଜସ୍ୱ ସ୍ୱତନ୍ତ୍ର ପରିଚୟ ରହିବ । କାରଣ ଲତା ଦିଦି ପୂର୍ବରୁ ଏହି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରି ସାରିଥିଲେ । ମୁଁ ଇଂରାଜୀ ଫିଲ୍ମ ଦେଖୁଥିଲି ଏବଂ ଏହାର ମ୍ୟୁଜିକର ଏଲିମେଣ୍ଟକୁ ନିଜ ଗାୟିକିରେ ସାମିଲ୍ କରୁଥିଲି ।
ଆଶା କହିଛନ୍ତି, ସେ ସର୍ବଦା ଭାବୁଥିଲେ ଯେ, ଏମିତି କଣ ଟୁଇଷ୍ଟ ଥିଲା, ଯେ ତାଙ୍କ ଭଉଣୀ କେମିତି ସୁନ୍ଦର ଗାଉଥିଲେ । ଯେବେ ମୁଁ ଦିଦିଙ୍କ ସହ ରେକର୍ଡ କରେ ଦେଖେ ଯେ, କେମିତି ସେ ଗୀତ ଗାଉଛି । ବହୁତ କିଛି ତାଙ୍କଠୁ ଶିଖିବାକୁ ମିଳିଛି ଏବଂ ଦୁଇ ଭଉଣୀଙ୍କ ମଧ୍ୟରେ ଗୀତକୁ ନେଇ ଏକ ସକରାତ୍ମକ ପ୍ରତିଯୋଗିତା ଚାଲିଥାଏ । ଉଲ୍ଲେଖନୀୟ ଦୁଇ ଭଉଣୀ ଏକାଠି ମିଶି ୮୦ ହିନ୍ଦୀ ଗୀତ ଗାଇଛନ୍ତି ।
ଥରେ ଏମିତି ଖବର ଆସିଥିଲା ଯେ, ଲତା ଓ ଆଶାଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି । ଆଶା ଲତାଙ୍କ ସେକ୍ରେଟାରୀ ଗଣପତ ରାଓଙ୍କୁ ବିବାହ କରିଥିଲେ । ସେହି ସମୟରେ ଲତା ଆଶାଙ୍କ ପ୍ରତି ଅସନ୍ତୁଷ୍ଟ ଥିବା କୁହାଯାଉଥିଲା ।
ଏତେ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ଆଶା
ଆଶା ଭୋସଲେ ନିଜ କ୍ୟାରିୟରରେ ଭିନ୍ନ ଭିନ୍ନ ଭାଷାରେ ଅନେକ ଗୀତ ଗାଇଛନ୍ତି । ସଙ୍ଗୀତ ଜଗତରେ ତାଙ୍କର ୮ ଦଶନ୍ଧିର କ୍ୟାରିୟର ରହିଛି । ତାଙ୍କୁ ୨ଟି ଜାତୀୟ ପୁରସ୍କାର, ୨ ବିଏଫଜେଏ ଆୱାର୍ଡ, ୧୮ ମହାରାଷ୍ଟ୍ର ରାଜ୍ୟ ଫିଲ୍ମ ପୁରସ୍କାର, ୮ ଫିଲ୍ମଫେୟାର ଆୱାର୍ଡ, ଗୋଟିଏ ପଦ୍ମ ବିଭୂଷଣ ଏବଂ ଗୋଟିଏ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଛି ।