ନୂଆଦିଲ୍ଲୀ: ରଣବୀର ସିଂଙ୍କ ‘ଧୁରନ୍ଧର ୨’ ର ସମସ୍ତେ ପ୍ରଶଂସକ ପାଲଟିଛନ୍ତି। ବଲିଉଡଠାରୁ ଆରମ୍ଭ କରି ସାଉଥ୍ ସିନେମା ପର୍ଯ୍ୟନ୍ତ, ଅନେକ ଅଭିନେତା ଏବଂ ନିର୍ଦ୍ଦେଶକ ଏହି ମୁଭିର ପ୍ରଶଂସା କରିଛନ୍ତି। ଏହି ତାଲିକାରେ ରାମ ଗୋପାଳ ବର୍ମାଙ୍କ ନାମ ମଧ୍ୟ ସାମିଲ ଅଛି। କିନ୍ତୁ ଏବେ ଫିଲ୍ମର ସବୁଠାରୁ ବଡ଼ ସମର୍ଥକ ଥିବା ରାମ ଗୋପାଳ ବର୍ମାଙ୍କ ସ୍ୱର କିଛିଟା ବଦଳିବା ପରି ମନେ ହେଉଛି। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାକୁ ଜୋରଦାର ପ୍ରଶଂସା କରିବା ପରେ ରାମ ଗୋପାଳ ବର୍ମା ଏବେ ଫିଲ୍ମର ଏକ ଖାସ୍ ଅଂଶ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ତାହା ହେଉଛି ଫିଲ୍ମରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ଚରିତ୍ର।
ଫିଲ୍ମ ରିଲିଜ୍ ହେବା ମାତ୍ରେ ରାମ ଗୋପାଳ ସୋସିଆଲ ମିଡିଆରେ ପ୍ରଶଂସା କରି ପୋତି ପକାଇଥିଲେ। ସେ ଏହାକୁ ‘ଶୋଲେ’ ପରେ ଭାରତୀୟ ସିନେମାର ସବୁଠାରୁ ଶ୍ରେଷ୍ଠ ଫିଲ୍ମ ବୋଲି କହିଥିଲେ। ସେ ଏତେ ପ୍ରଭାବିତ ଥିଲେ ଯେ ସେ ଆଦିତ୍ୟ ଧରଙ୍କୁ ନିଜର ନୂଆ ଗୁରୁ ବୋଲି ମଧ୍ୟ କହିଥିଲେ ଏବଂ ଫିଲ୍ମକୁ ନିଜର କଲ୍ଟ କ୍ଲାସିକ୍ ‘ସତ୍ୟା’ ସହିତ ତୁଳନା କରିଥିଲେ। କିନ୍ତୁ ଏବେ ଦାଉଦ୍ ଇବ୍ରାହିମଙ୍କ ଚରିତ୍ରକୁ ନେଇ ତାଙ୍କର ଏହି ଅସହମତି ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ଦାଉଦ୍ ଇବ୍ରାହିମଙ୍କ ଚରିତ୍ରକୁ ନେଇ ଅସହମତ
ନିକଟରେ ଲେଖକ ହୁସେନ୍ ଜୈଦିଙ୍କ ସହ ୟୁଟ୍ୟୁବ୍ରେ ହୋଇଥିବା ଏକ ଆଲୋଚନା ସମୟରେ ରାମ ଗୋପାଳ ବର୍ମା ସ୍ୱୀକାର କରିଛନ୍ତି ଯେ ଫିଲ୍ମର ଗୋଟିଏ କଥା ତାଙ୍କୁ ହଜମ ହୋଇନାହିଁ। ଫିଲ୍ମରେ ଦାଉଦ୍ ଇବ୍ରାହିମଙ୍କୁ 'ବଡ଼େ ସାହେବ' ଭାବେ ଦେଖାଯାଇଛି, ଯିଏ ପାକିସ୍ତାନରୁ ଆତଙ୍କୀ ନେଟୱାର୍କ ଚଲାଉଛି। ସେ ଏହି ଚରିତ୍ରର ଚିତ୍ରଣ ଉପରେ ନିଜର ଅସହମତି ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ‘ଫିଲ୍ମରେ ମୋତେ କେବଳ ଗୋଟିଏ କଥା ଖଟକିଲା ଏବଂ ତାହା ହେଉଛି ଦାଉଦ୍ ଇବ୍ରାହିମଙ୍କ ଚରିତ୍ର। ହୁଏତ ସେମାନଙ୍କ ପାଖରେ ନିଜସ୍ୱ ସୋର୍ସ (ଉତ୍ସ) ଥାଇପାରେ, କିନ୍ତୁ ମୋତେ ଲାଗୁଛି ଯେ ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି।’ ସେ ଆଗକୁ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ମାମଲାରେ ସମ୍ପୂର୍ଣ୍ଣ ସଠିକ୍ ବୋଲି ଦାବି କରୁନାହାନ୍ତି, କିନ୍ତୁ ଫିଲ୍ମରେ ଯାହା କିଛି ଦେଖାଯାଇଛି, ତାହା ତାଙ୍କ ସୂଚନା ଏବଂ ବୁଝାମଣା ସହ ମେଳ ଖାଉନାହିଁ।
ଅବସର ନେଇସାରିଛି ଦାଉଦ୍ ଇବ୍ରାହିମ
ରାମ ଗୋପାଳ ବର୍ମା ବିସ୍ତୃତ ଭାବେ କହିଛନ୍ତି ଯେ ବହୁ ବର୍ଷ ଧରି ସେ ଯାହା କିଛି ଶୁଣିଛନ୍ତି, ତାଙ୍କ ଅନୁଯାୟୀ ଦାଉଦ୍ ଏବେ ବହୁ ସମୟରୁ ଅପରାଧ ଦୁନିଆରେ ସକ୍ରିୟ ନାହିଁ। ସେ କହିଛନ୍ତି, ‘ସେ ନିଜ ଇଚ୍ଛାରେ ଏବେ ଶାନ୍ତ ଅଛି କାରଣ ସେ ସବୁକିଛି କରିବା ଛାଡ଼ି ଦେଇଛି। ମୋର ତ ବିଶ୍ୱାସ ଯେ ସେ ୨୦ ବର୍ଷ ପୂର୍ବରୁ ହିଁ କ୍ରାଇମ୍ ଦୁନିଆରୁ ଅବସର ନେଇସାରିଛି।’
ଦାଉଦ୍ ସିନ୍କୁ ନେଇ ଦ୍ୱନ୍ଦ୍ୱରେ ରାମ ଗୋପାଳ ବର୍ମା
ଏହାସହ ଫିଲ୍ମ ନିର୍ମାତା ଏଭଳି ଚରିତ୍ରମାନଙ୍କୁ ପରଦାରେ ଦେଖାଇବାର ଦ୍ୱନ୍ଦ୍ୱକୁ ମଧ୍ୟ ସ୍ୱୀକାର କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ନା ସେ ନା ଫିଲ୍ମର ନିର୍ମାତାମାନେ ନିଜ ନିଜ କଥାକୁ ସମ୍ପୂର୍ଣ୍ଣ ସତ ବୋଲି ପ୍ରମାଣ କରିପାରିବେ। ସେ କହିଛନ୍ତି, ‘ଏହି ମାମଲାରେ କେହି ବି ଏକ୍ସପର୍ଟ ହୋଇପାରିବେ ନାହିଁ, କାହାରିକୁ ଜଣାନାହିଁ ଯେ ଅସଲ ସତ କ’ଣ? ଆମକୁ ଲାଗୁଛି ଯେ ଧୁରନ୍ଧର ୨ରେ ଯାହା ଦେଖାଯାଇଛି ତାହା ସତ, କିନ୍ତୁ ହକିକ୍ତ ଏହା ଯେ ନା ମୁଁ ଏହାକୁ ଭୁଲ ପ୍ରମାଣ କରିପାରିବି ନା ଡାଇରେକ୍ଟର ଏହାକୁ ସଠିକ୍ ପ୍ରମାଣ କରିପାରିବେ।’
ବକ୍ସ ଅଫିସରେ ଜାରି ରହିଛି ‘ଧୁରନ୍ଧର’ର ଧୂଆଁଧାର କମାଇ
ଏଣେ ବକ୍ସ ଅଫିସରେ ‘ଧୁରନ୍ଧର ୨’ ର କମାଇର ରଫ୍ତାର ଅଟକିବାର ନାମ ନେଉନାହିଁ। ରିପୋର୍ଟ ଅନୁଯାୟୀ, ଫିଲ୍ମ ସାରା ବିଶ୍ୱର ବକ୍ସ ଅଫିସରେ ୧୭୩୩.୨ କୋଟି ସଂଗ୍ରହ କରି କୋକୁଆ ଭୟ ସୃଷ୍ଟି କରିଛି। ରଣବୀର ସିଂଙ୍କ ମୁଖ୍ୟ ଭୂମିକା ଥିବା ଏହି ଫିଲ୍ମରେ ଆର୍ ମାଧବନ୍, ଅର୍ଜୁନ ରାମପାଲ, ସାରା ଅର୍ଜୁନ ଏବଂ ଗୌରବ ଗେରାଙ୍କ ଭଳି ତାରକାମାନେ ମଧ୍ୟ ପ୍ରାଣ ଭରି ଦେଇଛନ୍ତି। ଚିତ୍ତାକର୍ଷକ କଥା ହେଉଛି ‘ଧୁରନ୍ଧର’ର ଉଭୟ ଫିଲ୍ମ ମିଶି ୱାର୍ଲ୍ଡୱାଇଡ୍ ୩୦୦୦ କୋଟି କମାଇର ମ୍ୟାଜିକ୍ ନମ୍ବର ଅତିକ୍ରମ କରିସାରିଛନ୍ତି, ଯାହା ନିଜେ ଏକ ମାଇଲଖୁଣ୍ଟ।