ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଆନିମେଟେଡ୍ ଚଳଚିତ୍ର 'ମହାବତାର ନରସିଂହ' ୨୦୨୪ ରେ ବକ୍ସ ଅଫିସରେ ଧମାକା କରିଥିବାବେଳେ ୨୦୨୭ ରେ ରିଲିଜ ହେବ 'ମହାବତାର ପର୍ଶୁରାମ' । ହୋମବାଲେ ଫିଲ୍ମସ୍ ଓ କ୍ଲିମ୍ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଚଳଚିତ୍ରର ମୋସନ ପୋଷ୍ଟର ଭିଡିଓ ରିଲିଜ ହୋଇସାରିଛି । ନିର୍ଦ୍ଦେଶକ ଅଶ୍ୱିନ କୁମାରଙ୍କ ନିର୍ମିତ ମହାବତାର ସିରିଜର ଏହା ହେଉଛି ଦ୍ଵିତୀୟ ଚଳଚିତ୍ର ।
୨୦୨୪ ରେ ୪୦ କୋଟି ବଜେଟରେ ନିର୍ମାଣ କରାଯାଇଥିଲା 'ମହାବତାର ନରସିଂହ' । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଆନିମେଟେଡ୍ ଚଳଚିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାରର ସମ୍ପୂର୍ଣ୍ଣ କାହାଣୀକୁ ଆନିମେସନ ମାଧ୍ୟମରେ ପ୍ରସ୍ତୁତ କରି ବେଶ ପ୍ରଶଂସା ସାଉଣ୍ଟିବା ସହ ପାଖାପାଖି ୩୨୬ କୋଟି ରୋଜଗାର କରିଥିଲା 'ମହାବତାର ନରସିଂହ' । ସିନେମାରେ କୌଣସି ବଡ କଳାକାରଙ୍କ ଉପସ୍ତିତି ନଥାଇ ମଧ୍ୟ ସିନେମାର କାହାଣୀ ଓ ସିନେମାଟିକ୍ ଉପସ୍ଥାପନା ବଳରେ ଦର୍ଶକଙ୍କୁ ପସନ୍ଦ ଆସିଥିଲା ।
ଏହି ସିରିଜର ଦ୍ଵିତୀୟ ସିନେମା 'ମହାବତାର ପର୍ଶୁରାମ'ର ମୋସନ ପୋଷ୍ଟର ଭିଡିଓ ୧୯ ଏପ୍ରିଲରେ ରିଲିଜ ହୋଇଛି । ଏହି ଚଳଚିତ୍ର ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର । ଭଗବାନ ପର୍ଶୁରାମଙ୍କ ଜନ୍ମ ଠାରୁ ଜୀବନ ପର୍ଯ୍ୟନ୍ତ କାହାଣୀ ଜାଣିବା ପାଇଁ ଏହି ସିନେମା ନିର୍ମାଣ କରୁଛି ହୋମବାଲେ ଫିଲ୍ମସ୍ ଓ କ୍ଲିମ୍ ପ୍ରଡକ୍ସନ୍ସ । ଡିସେମ୍ବର ୨୦୨୭ ରେ ରିଲିଜ ହେବା ନେଇ ଭିଡିଓରେ ଉଲ୍ଲେଖ ରହିଛି ।
ହୋମବାଲେ ଫିଲ୍ମସ୍ ମହାବତାରର ଲମ୍ବା ସିରିଜ ଦର୍ଶକ ପାଇଁ ଯୋଜନା କରିସାରିଛି । ୨୦୨୭ ରେ 'ମହାବତାର ପର୍ଶୁରାମ' ରିଲିଜ ହେବା ପରେ ୨୦୨୯ ରେ 'ମହାବତାର ରଘୁନନ୍ଦନ', ୨୦୩୧ ରେ 'ମହାବତାର ଦ୍ୱାରିକାଧିଶ', ୨୦୩୩ ରେ 'ମହାବତାର ଗୋକୁଳାନନ୍ଦ' ଓ ୨୦୩୫ ରେ 'ମହାବତାର କଳ୍କୀ ପାର୍ଟ ୧' ରିଲିଜ ହେବା ନେଇ ଯୋଜନା କରିଛି ହୋମବାଲେ ଫିଲ୍ମସ୍ ।