'ଧୁରନ୍ଧର' ଫିଲ୍ମରେ 'ୟାଲିନା' ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ସାରା ଅର୍ଜୁନ ଏବେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତ୍ରୀ ଜଣକ ନିଜ ପିତା ରାଜ ଅର୍ଜୁନଙ୍କ ପାଇଁ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି।
ଆଦିତ୍ୟ ଧରଙ୍କ ଫିଲ୍ମ 'ଧୁରନ୍ଧର ୨' ବକ୍ସ ଅଫିସରେ ଏବେ ବି ଯାତ୍ରା ଜାରି ରଖିଛି। ଫିଲ୍ମଟି ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୭୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଏହି ସଫଳତା ମଧ୍ୟରେ ସାରା ଅର୍ଜୁନ ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ପିତାଙ୍କୁ ଦେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପିତା ଏକ କବିତା ଶୁଣାଉଥିବାର ଦେଖାଯାଉଛନ୍ତି।
ପିତା ରାଜ ଅର୍ଜୁନଙ୍କ ପାଇଁ ସାରାଙ୍କ ହୃଦୟସ୍ପର୍ଶୀ ପୋଷ୍ଟ
ଭିଡିଓରେ ରାଜ ଅର୍ଜୁନ କହୁଛନ୍ତି ଯେ ୨୦୦୫ରେ ତାଙ୍କ ଝିଅ ସାରାଙ୍କ ଜନ୍ମ ପରେ ତାଙ୍କ ଜୀବନ ବଦଳିଯାଇଛି। ଏହି ଭିଡିଓ ସହ ସାରା ଲେଖିଛନ୍ତି:
"ମୁଁ ଆପଣଙ୍କୁ ଯେତିକି ଦେଖିଛି, ବୋଧହୁଏ ନିଜକୁ ମଧ୍ୟ ସେତିକି ଦେଖିନଥିବି। ଆପଣ ମତେ ପଡ଼ିବାକୁ ତ ଦେଲେ, କିନ୍ତୁ ପ୍ରତିଥର ପଡ଼ିବା ପରେ କିପରି ଉଠିବାକୁ ହୁଏ, ତାହା ନିଶ୍ଚୟ ଶିଖାଇଛନ୍ତି। ମୁଁ ଯାହା ବି ଶିଖିଛି ବାପା, ତାହା ବହିରୁ ନୁହେଁ, ବରଂ ଆପଣଙ୍କ ନିରବତାରୁ ଶିଖିଛି।"
ସାରା ଆଗକୁ ଲେଖିଛନ୍ତି, "ଆପଣ ମତେ କେବେ ବଡ଼ ବଡ଼ ଶବ୍ଦ ଦେଇନାହାନ୍ତି, କିନ୍ତୁ ବଞ୍ଚିବାର ତରିକା ନିଶ୍ଚୟ ଦେଇଛନ୍ତି। ଆପଣ କହୁଛନ୍ତି ମୁଁ ଆପଣଙ୍କୁ ସମ୍ଭାଳିଛି, କିନ୍ତୁ ସତ କଥା ହେଉଛି ବାପା, ମୁଁ ତ କେବଳ ଆପଣଙ୍କ ଦେଖାଇଥିବା ପାଦଚିହ୍ନରେ ଚାଲୁଥିଲି। ଆଜି ଯଦି ମୁଁ କିଛି ବି କରିପାରୁଛି, ତାହା ଆପଣଙ୍କ ଧୈର୍ଯ୍ୟର ଇତିହାସ। ମୁଁ ଯାହା ବି ଅଟେ, ସେଇଟା ମୁଁ ନୁହେଁ, ମୁଁ ଆପଣଙ୍କଠାରୁ ଆରମ୍ଭ ହୋଇଥିବା ଏକ ଯାତ୍ରା। ମୁଁ କେବଳ ଆପଣଙ୍କ ଝିଅ ନୁହେଁ, ଆପଣଙ୍କ କାହାଣୀର ସବୁଠାରୁ ସତ୍ୟ ଅଂଶ।"
ପିତା ରାଜ ଅର୍ଜୁନଙ୍କ ପ୍ରତିକ୍ରିୟା
ଏହି ପୋଷ୍ଟ ଉପରେ ରାଜ ଅର୍ଜୁନ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "ସାରା ବେଟା, କିଛି ବିଶ୍ୱାସ ଏମିତି ହିଁ ରଖାଯାଏ, ବିନା କିଛି କହି କିମ୍ବା ଜଣାଇ। ସେଥିପାଇଁ ହୁଏତ ପ୍ରତିଥର ଯେତେବେଳେ ତୁମକୁ ପୁଣି ଛିଡ଼ା ହେବାର ଦେଖିଛି, ମତେ ଶାନ୍ତି ମିଳିଛି। ମୋ ନିରବତାକୁ ସ୍ୱର ଦେବାର ଆବଶ୍ୟକତା କେବେ ପଡ଼ିନି, କାରଣ ତୁମେ ସେହି ନିରବତାରେ ମଧ୍ୟ ମତେ ପଢ଼ିପାରୁଥିଲ। ବସ, ଏବେ ଏହି ଯାତ୍ରାକୁ ଏମିତି ହିଁ ହସି ହସି ବଞ୍ଚିଥାଅ। କାରଣ ତୁମେ ମୋ ପାଇଁ କେବଳ ଏକ ସମ୍ପର୍କ ନୁହେଁ, ତୁମେ ମୋ ଆତ୍ମାର ଏକ ଅଂଶ।"