୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବ୍ୟାନ କରାଯାଇଥିବା ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଭାରତରେ ଦେଖାଯିବାକୁ ଲାଗିଛି। ଏଥିରେ ହାନିଆ ଆମିର, ମାହିରା ଖାନ ଏବଂ ଫୱାଦ ଖାନଙ୍କ ଭଳି ବଡ଼ ନାମ ସାମିଲ ଅଛି। ଭାରତର ଅନେକ ୟୁଜର୍ସ ଦାବି କରିଛନ୍ତି ଯେ ସେମାନେ ଏହି ପାକିସ୍ତାନୀ କଳାକାରଙ୍କ ପ୍ରୋଫାଇଲ ଦେଖିପାରୁଛନ୍ତି। ତେବେ କିଛି ଘଣ୍ଟା ପରେ ଏହି ଆକାଉଣ୍ଟଗୁଡ଼ିକ ପୁଣି ଥରେ ବ୍ୟାନ୍ ହୋଇଯାଇଛି।
ଘଟଣାର ପୃଷ୍ଠଭୂମି
୨୦୨୫ ମସିହାରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଭାରତ ସରକାର ଦେଶର ସୁରକ୍ଷା ଦୃଷ୍ଟିରୁ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ କରିଦେଇଥିଲେ। ପୂର୍ବରୁ ଜୁଲାଇ ୨୦୨୫ରେ ମଧ୍ୟ ବୈଷୟିକ ତ୍ରୁଟି କାରଣରୁ ଏହି ପ୍ରୋଫାଇଲଗୁଡ଼ିକ କିଛି ସମୟ ପାଇଁ ଦେଖାଯାଇଥିଲା, କିନ୍ତୁ ସେଗୁଡ଼ିକୁ ତୁରନ୍ତ ପୁଣି ପ୍ରତିବନ୍ଧିତ କରାଯାଇଥିଲା।
ବର୍ତ୍ତମାନ କ’ଣ ଘଟିଲା?
ରିପୋର୍ଟ ଅନୁଯାୟୀ, ହାନିଆ ଆମିର, ମାହିରା ଖାନ, ଫୱାଦ ଖାନ, ଆୟଜା ଖାନ ଏବଂ ସବା କମରଙ୍କ ଭଳି ଲୋକପ୍ରିୟ ତାରକାଙ୍କ ଆକାଉଣ୍ଟ ଭାରତର କିଛି ଅଂଶରେ ଦୃଶ୍ୟମାନ ହେଉଥିଲା। ତେବେ ଏହା ସମସ୍ତଙ୍କ ପାଇଁ ଏକାଭଳି ନଥିଲା। କିଛି ୟୁଜର୍ସ ପ୍ରୋଫାଇଲ ଖୋଲିପାରୁଥିବା ବେଳେ ଅନେକଙ୍କ କ୍ଷେତ୍ରରେ ପେଜ୍ ତ ଖୋଲୁଥିଲା କିନ୍ତୁ କୌଣସି ପୋଷ୍ଟ କିମ୍ବା ଫଲୋଅର୍ସ ଲିଷ୍ଟ ଦେଖାଯାଉନଥିଲା।
ଅଧିକାଂଶ ୟୁଜର୍ସଙ୍କୁ ପୂର୍ବଭଳି ଏକ ମେସେଜ୍ ଫ୍ଲାଶ୍ ହେଉଥିଲା, ଯେଉଁଥିରେ ଲେଖାଥିଲା- “ଆଇନଗତ ଅନୁରୋଧ କାରଣରୁ ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ।”
କିଛି ଘଣ୍ଟା ପରେ ପୁଣି ଗାୟବ
ଆଶ୍ଚର୍ଯ୍ୟର କଥା ଯେ, ଯେଉଁ ୟୁଜର୍ସମାନେ ଏହି ପ୍ରୋଫାଇଲ ଦେଖିବାକୁ ସକ୍ଷମ ହୋଇଥିଲେ, କିଛି ସମୟ ପରେ ସେଗୁଡ଼ିକ ପୁଣି ଅଦୃଶ୍ୟ ହୋଇଯାଇଥିଲା। କୁହାଯାଉଛି ଯେ, ଯେମିତି ହିଁ ଏହି ବିଷୟରେ ଅଧିକାରୀମାନେ ଜାଣିବାକୁ ପାଇଲେ, ସେଗୁଡ଼ିକ ଉପରେ ପୁଣି ଥରେ ଜିଓ-ରିଷ୍ଟ୍ରିକସନ୍ ଲାଗୁ କରିଦିଆଗଲା। ଏହା ଏକ 'ଟେକ୍ନିକାଲ ଗ୍ଲିଚ୍' ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ଭାରତ ସରକାରଙ୍କ କଡ଼ା ପଦକ୍ଷେପ
ପହଲଗାମ ଆକ୍ରମଣ ପରେ ଭାରତ ସରକାର କେବଳ ସେଲିବ୍ରିଟି ନୁହେଁ, ବରଂ ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଗୃହ ମନ୍ତ୍ରଣାଳୟ ଅନୁସାରେ, ଏହି ଚ୍ୟାନେଲଗୁଡ଼ିକ ଭାରତର ସୁରକ୍ଷା ଏଜେନ୍ସି ଏବଂ ସଶସ୍ତ୍ର ବାହିନୀ ବିରୋଧରେ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରୁଥିଲେ। ଏଥିରେ ଡନ୍ ନ୍ୟୁଜ୍, ସମା ଟିଭି ଏବଂ ଜିଓ ନ୍ୟୁଜ୍ ଭଳି ବଡ଼ ବଡ଼ ଚ୍ୟାନେଲ ସାମିଲ ଅଛନ୍ତି।