ୟୁଗାଣ୍ଡା ସେନା ମୁଖ୍ୟ ଜେନେରାଲ୍ ମୁହୁଜି କାଇନେରୁଗାବା ତୁର୍କୀ ସହିତ ନିଜ ଦେଶର ସମ୍ପର୍କକୁ "ଗମ୍ଭୀର" ସ୍ଥିତିରେ ଥିବା ଦର୍ଶାଇଛନ୍ତି। ସେ କହିଛନ୍ତି, "ସୋସିଆଲ ମିଡିଆର ଖେଳତାମାସା ଭୁଲିଯାଅ, ଆମେ ଖୁବ୍ ଶୀଘ୍ର ତୁର୍କୀ ସହ ସମସ୍ତ କୂଟନୈତିକ ସମ୍ପର୍କ ଶେଷ କରିଦେବୁ। ପଛରେ ଛୁରି ମାରୁଥିବା ବନ୍ଧୁର ଆବଶ୍ୟକତା କାହାର ଅଛି?"ସେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଧାରିବାକୁ ଅଜବ ଦାବି ରଖିଛନ୍ତି ଓ ଚେତାବନ ଦେଇଛନ୍ତି।
ତୁର୍କୀର ସବୁଠାରୁ ସୁନ୍ଦର ଝିଅ ସହ ହେଉ ମୋ ବାହାଘର
ଉଗାଣ୍ଡା ସେନାମୁଖ୍ୟ ତୁର୍କି ସାମ୍ନାରେ ଯେଉଁ ଦୁଇଟି ଦାବି ରଖିଛନ୍ତି,ତାହା ମଧ୍ୟରୁ ଦ୍ୱିତୀୟ ଦାବି ଅତ୍ୟନ୍ତ ଅଜବ। ସେ ଏହି ଦାବି ପରିହାସରେ କରିଛନ୍ତି କି ଏହାକୁ ନେଇ ଗମ୍ଭୀର ତାହା ଜଣା ପଡ଼ିନାହିଁ। ସେ ତୁର୍କିକୁ ତା ଦେଶର ସବୁଠାରୁ ସୁନ୍ଦରୀ ଝିଅଙ୍କୁ ବିବାହ ପାଇଁ ତାଙ୍କୁ ଦେବାକୁ ଦାବି କରିଛନ୍ତି। ଆଉ ତାଙ୍କର ପ୍ରଥମ ଦାବି ହେଉଛି ସୋମାଲିଆ ଆତଙ୍କବାଦୀଙ୍କ ବିରୋଧରେ ଲଢିବା ପାଇଁ ତୁର୍କି ତାଙ୍କୁ 8 ହଜାର କୋଟି ଟଙ୍କା ଦେଉ।
୩୦ ଦିନର ଚେତାବନୀ
ଜେନେରାଲ୍ କାଇନେରୁଗାବା ଚେତାବନୀ ଦେଇଛନ୍ତି ଯେ, ଯଦି ୩୦ ଦିନ ମଧ୍ୟରେ ତୁର୍କୀ ଏହି ଦାବି ପୂରଣ ନକରେ, ତେବେ ୟୁଗାଣ୍ଡାର ରାଜଧାନୀ କମ୍ପାଲାରେ ଥିବା ତୁର୍କୀ ଦୂତାବାସକୁ ବନ୍ଦ କରିଦିଆଯିବ। ଏଥିସହ ତୁର୍କୀ ଏୟାରଲାଇନ୍ସକୁ ୟୁଗାଣ୍ଡା ଆକାଶ ମାର୍ଗରେ ଉଡ଼ିବାକୁ ଅନୁମତି ଦିଆଯିବ ନାହିଁ। ସୂଚନାଯୋଗ୍ୟ ଯେ, ଜେନେରାଲ୍ କାଇନେରୁଗାବା ହେଉଛନ୍ତି ୟୁଗାଣ୍ଡା ରାଷ୍ଟ୍ରପତି ୟୋଭେରୀ ମୁସେଭେନୀଙ୍କ ପୁଅ।
ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଦେଇଥିଲେ ପ୍ରସ୍ତାବ
ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ୨୦୨୨ ମସିହାରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇ ଚର୍ଚ୍ଚାରେ ଥିଲେ। ବଦଳରେ ସେ ଜର୍ମାନୀକୁ ଏକ ଶହ ଗାଇ ଦେବେ ବୋଲି କହିଥିଲେ। ତାଙ୍କର ଏଭଳି ବୟାନକୁ ସାରା ବିଶ୍ୱରେ ସମାଲୋଚନା କରାଯାଉଛି।
ଇସ୍ରାଏଲକୁ ସମର୍ଥନ ଓ ତୁର୍କୀ ଉପରେ ଆକ୍ଷେପ
ତୁର୍କୀକୁ ଚିଢ଼ାଇବା ପାଇଁ ସେ ଇସ୍ରାଏଲକୁ ନିଜର ସମର୍ଥନ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, "ଇସ୍ରାଏଲର ସୁରକ୍ଷା ପାଇଁ ମୁଁ ମୋ କମାଣ୍ଡରେ ଥିବା ୧ ଲକ୍ଷ ସୈନ୍ୟ ପଠାଇବାକୁ ପ୍ରସ୍ତୁତ ଅଛି।" ତୁର୍କୀ ଉପରେ ଅଭିଯୋଗ ଆଣି ସେ କହିଛନ୍ତି ଯେ, ସୋମାଲିଆରେ ୟୁଗାଣ୍ଡା ସୈନ୍ୟମାନେ ରକ୍ତ ବୁହାଉଥିବା ବେଳେ ତୁର୍କୀ ସେଠାକାର ବନ୍ଦର ଏବଂ ବିମାନବନ୍ଦର କାରବାରରୁ ଲାଭ ଉଠାଉଛି।